ଗୀତସଂହିତା 108 - ଓଡିଆ ବାଇବେଲଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନା ଦାଉଦଙ୍କର ଗାନାର୍ଥକ ଗୀତ। 1 ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି। 2 ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି ପ୍ରଭାତରେ ଜାଗିବି। 3 ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। 4 ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ; 5 ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ। 6 ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ। 7 ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍କୋତ ଉପତ୍ୟକା ମାପିବି। 8 ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ଡ। 9 ମୋୟାବ ମୋ’ ପ୍ରକ୍ଷାଳନ-ପାତ୍ର; ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି। ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି। 10 କିଏ ମୋତେ ଦୃଢ଼ ନଗରକୁ ଆଣିବ ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?” 11 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ? ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ। 12 ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା। 13 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.