Biblia Todo Logo
Bib sou entènèt

- Piblisite -

ମାଥିଉ 3 - ଓଡିଆ ବାଇବେଲ


ବାପ୍ତିଜକ ଯୋହନଙ୍କ ପ୍ରଚାର
( ମାଥିଉ 1:1-8 ; ଲୂକ 3:1-18 ; ଯୋହନ 1:6-8 , 15-34 )

1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,

2 "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, "ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର ।"

4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା ।

5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦା ପ୍ରଦେଶ ପୁଣି, ଯର୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ,

6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦନ ନଦୀରେ ବାପ୍ତିଜିତ ହେଲେ ।

7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, "ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ?

8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,

9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।

10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ ।

11 ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।

12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।"


ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ
( ମାର୍କ 1:9-11 ; ଲୂକ 3:21 , 22 ; ଯୋହନ 1:31-34 )

13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦନକୁ ଆସିଲେ ।

14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି ?

15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ ।" ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ ।

16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ ।

17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।"

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Swiv nou:



Piblisite