Biblia Todo Logo
Bib sou entènèt

- Piblisite -

ପ୍ରକାଶିତ 8 - ପବିତ୍ର ବାଇବଲ


ସପ୍ତମ ମୁଦ୍ରା

1 ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା।

2 ତା'ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।

3 ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା।

4 ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା।

5 ତା'ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।


ସାତ ଜଣ ସ୍ୱର୍ଗ ଦୂତଙ୍କର ତୂରୀନାଦ

6 ତା'ପରେ ସାତ ଜଣ ସ୍ୱର୍ଗଦୂତ ସାତୋଟି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।

7 ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

8 ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା।

9 ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା।

10 ଯେତେବେଳେ ତୃତୀୟ ସ୍ୱର୍ଗଦୂତ ତୂରୀ ବଜାଇଲେ, ସେତେବେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀୟାଂଶ ନଦୀ ଓ ଏକ ତୃତୀୟାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା।

11 ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ।

12 ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।

13 ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍‌‌ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite