Biblia Todo Logo
Bib sou entènèt

- Piblisite -

ଗୀତସଂହିତା 26 - ପବିତ୍ର ବାଇବଲ


ଦାଉଦଙ୍କର ସଙ୍ଗୀତ।

1 ହେ ସଦାପ୍ରଭୁ, ମୋର ବିଗ୍ଭର କର। ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି। ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।

2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ ମୋର ହୃଦୟ ଓ ମନକୁ ପରିଷ୍କାର କର।

3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।

4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।

5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।

6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।

7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ, ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।

8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।

9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।

10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।

11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ। ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।

12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite