Biblia Todo Logo
Bib sou entènèt

- Piblisite -

ଗଣନା ପୁସ୍ତକ 26 - ପବିତ୍ର ବାଇବଲ


ଲୋକମାନଙ୍କର ଗଣନା

1 ମହାମାରୀ ପରେ, ସଦାପ୍ରଭୁ ମୋଶା ଓ ହାରୋଣର ପୁତ୍ର ଯାଜକ ଇଲିୟାସରକୁ କହିଲେ,

2 “ଇସ୍ରାଏଲର ପୁରୁଷ ଲୋକମାନଙ୍କ ମଧ୍ୟରୁ ନିଜ ନିଜ ପିତୃଗୃହାନୁସାରେ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ସୈନ୍ୟଶ୍ରେଣୀରେ ଭୁକ୍ତ କରିବାକୁ ଗଣନା କର।”

3 ମୋଶା ଓ ଇଲିୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପର ଇସ୍ରାଏଲର ଲୋକମାନଙ୍କୁ ମୋୟାବ ପଦାରେ ଏହା କହିଲେ।

4 “ସେମାନେ କହିଲେ, ଯେଉଁ ପୁରୁଷମାନେ କୋଡ଼ିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସେହି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମୋଶାଙ୍କୁ ଆଦେଶ କରିଥିଲେ, ଯେତେବେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।”

5 ରୁବେନ୍ ଇସ୍ରାଏଲର ପ୍ରଥମ ପୁତ୍ର। ରୁବେ‌ନ୍‌ର ପୁତ୍ରଗଣ ଓ ଗୋଷ୍ଠୀଗୁଡ଼ିକ ହେଲେ, ହନୋକରୁ ହନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।

6 ହିଷ୍ରୋଣଠାରୁ ହିଷ୍ରୋଣୀୟ ପରିବାର; କର୍ମ୍ମୀଠାରୁ କର୍ମ୍ମୀୟ ପରିବାର।

7 ଏମାନେ ହେଲେ ରୁବେ‌ନ୍‌ର ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ୟା ହେଲା 43,730

8 ପଲ୍ଲୂର ସନ୍ତାନ ଇଲୀୟାବ।

9 ଆଉ ଇଲୀୟାବର ତିନିପୁତ୍ର ଯଥା: ନମୂୟେଲ, ଦାଥନ୍ ଓ ଅବୀରାମ। କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଯାଇଥିଲେ।

10 ସେତେବେଳେ ପୃଥିବୀ ସେମାନଙ୍କୁ ଓ କୋରହକୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ପରେ ସେମାନେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କେତ ଚିହ୍ନ ସ୍ୱରୂପ ଥିଲା।

11 କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ।

12 ଏହି ପୁରୁଷମାନେ ହେଲେ ଶିମିୟୋନର ପରିବାରବର୍ଗ। ନମୂୟେଲଠାରୁ ନମୂୟେଲୀୟ ଗୋଷ୍ଠୀ ଏବଂ ଯାମୀନଠାରୁ ଯାମୀନୀୟ ଗୋଷ୍ଠୀ ଏବଂ ଯାଖୀନଠାରୁ ଯାଖୀନୀୟ ଗୋଷ୍ଠୀ।

13 ସେରହଠାରୁ ସେରହୀୟ ଗୋଷ୍ଠୀ; ଶୌଲଠାରୁ ଶୌଲୀୟ ଗୋଷ୍ଠୀ,

14 ଶିମିୟୋନୀୟ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 22,200 ଥିଲା।

15 ଗାଦ୍ ପରିବାରବର୍ଗର ଏହି ସନ୍ତାନଗଣ ହେଲେ: ସିଫୋନଠାରୁ ସିଫୋନୀୟ ଗୋଷ୍ଠୀ; ହଗିଠାରୁ ହଗୀୟ ଗୋଷ୍ଠୀ; ଶୂନିଠାରୁ ଶୂନୀୟ ଗୋଷ୍ଠୀ;

16 ଓଷ୍ଣିଠାରୁ ଉଷ୍ଣୀୟ ଗୋଷ୍ଠୀ; ଏରିଠାରୁ ଏରୀୟ ଗୋଷ୍ଠୀ।

17 ଅରୋଦିଠାରୁ ଅରୋଦୀୟ ଗୋଷ୍ଠୀ; ଅରେଲିଠାରୁ ଅରେଲୀୟ ଗୋଷ୍ଠୀ;

18 ଗାଦ୍ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 40,500 ଥିଲେ।

19-20 ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶେଲାଠାରୁ ଶେଲାୟୀୟ ଗୋଷ୍ଠୀ, ପେରସଠାରୁ ପେରସୀୟ ଗୋଷ୍ଠୀ; ସେରହଠାରୁ ସେରହୀୟ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶରେ ହତ୍ୟା କରାଯାଇଥିଲେ।

21 ଏହି ସକଳ ସନ୍ତାନଗଣ ହେଲେ ପେରସ ଗୋଷ୍ଠୀ: ହିଷ୍ରୋଣଠାରୁ ହିଷ୍ରୋଣୀୟ ଗୋଷ୍ଠୀ; ହାମୂଲଠାରୁ ହାମୂଲୀୟ ଗୋଷ୍ଠୀ।

22 ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 76,500 ଥିଲେ।

23 ଇଷାଖର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ତୋଲୟଠାରୁ ତୋଲୟୀୟ ଗୋଷ୍ଠୀ; ପୂୟଠାରୁ ପୂୟୀୟ ଗୋଷ୍ଠୀ।

24 ଯାଶୂବଠାରୁ ଯାଶୂବୀୟ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀୟ ଗୋଷ୍ଠୀ।

25 ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 64,300 ଥିଲେ।

26 ସବୁଲୂନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ସେରଦଠାରୁ ସେରଦୀୟ ଗୋଷ୍ଠୀ; ଏଲୋନଠାରୁ ଏଲୋନୀୟ ଗୋଷ୍ଠୀ, ଯହଲେଲଠାରୁ ଯହଲେଲୀୟ ଗୋଷ୍ଠୀ।

27 ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 60,500 ହେଲେ।

28 ଯୋଷେଫଙ୍କ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରୟିମ। ଏମାନେ ପ୍ରତ୍ୟେକ ଏକ ଏକ ପରିବାରବର୍ଗ ହେଲେ।

29 ମନଃଶି ପରିବାରଗୁଡ଼ିକ ହେଲେ: ମାଖୀରଠାରୁ ମାଖୀରୀୟ ଗୋଷ୍ଠୀ ମାଖୀରର ପୁତ୍ର ଗିଲିୟଦ, ଗିଲିୟଦଠାରୁ ଗିଲିୟଦୀୟ ଗୋଷ୍ଠୀ।

30 ଗିଲିୟଦ ପରିବାରବର୍ଗ ହେଲେ: ଇୟେଷରଠାରୁ ଇୟେଷ୍ରୀୟ ଗୋଷ୍ଠୀ; ହେଲେକଠାରୁ ହେଲକୀୟ ଗୋଷ୍ଠୀ:

31 ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ଗୋଷ୍ଠୀ; ଶେଖମଠାରୁ ଶେଖମୀୟ ଗୋଷ୍ଠୀ;

32 ଶମୀଦଠାରୁ ଶମୀଦାୟୀୟ ଗୋଷ୍ଠୀ; ହେଫରଠାରୁ ହେଫରୀୟ ଗୋଷ୍ଠୀ।

33 ସେହି ହେଫରର ପୁତ୍ର ସଲଫାଦର ପୁତ୍ର ନ ଥିଲା, କେବଳ ପାଞ୍ଚୋଟି କନ୍ୟା ଥିଲା। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତିର୍ସା

34 ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 52,700 ଥିଲେ।

35 ଇଫ୍ରୟିମ ପରିବାରବର୍ଗର ଗୋଷ୍ଠୀଗୁଡ଼ିକ ହେଲେ: ଶୂଥଲହଠାରୁ ଶୂଥଲହୀୟ ଗୋଷ୍ଠୀ, ବେଖରଠାରୁ ବେଖ୍ରୀୟ ଗୋଷ୍ଠୀ, ତହନଠାରୁ ତହନୀୟ ଗୋଷ୍ଠୀ।

36 ଏମାନେ ଶୂଥଲହର ବଂଶଧର ଥିଲେ। ଏରଣଠାରୁ ଏରଣୀୟ ଗୋଷ୍ଠୀ।

37 ଇଫ୍ରୟିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 32,500 ଥିଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶ ଅନୁସାରେ ଯୋଷେଫର ସନ୍ତାନ।

38 ବିନ୍ୟାମୀନର ପରିବାରବର୍ଗ ହେଲେ: ବେଲାଠାରୁ ବେଲାୟୀୟ ଗୋଷ୍ଠୀ; ଅସବେଲଠାରୁ ଅସବେଲୀୟ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀୟ ଗୋଷ୍ଠୀ।

39 ଶୂଫମଠାରୁ ଶୂଫମୀୟ ଗୋଷ୍ଠୀବର୍ଗ; ହୂଫମଠାରୁ ହୂଫମୀୟ ଗୋଷ୍ଠୀ।

40 ବେଲାର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀୟ ଗୋଷ୍ଠୀ; ନାମାନଠାରୁ ନାମାନୀୟ ଗୋଷ୍ଠୀ।

41 ବିନ୍ୟାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,600 ଥିଲେ।

42 ଦାନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଶୂହମଠାରୁ ଶୂହମୀୟ ଗୋଷ୍ଠୀ,

43 ଶୂହମୀୟ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ହେଲେ 64,400

44 ଆଶେର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଯିମ୍ନଠାରୁ ଯିମ୍ନୀୟ ଗୋଷ୍ଠୀ; ଯି‌ସ୍‌ବିଠାରୁ ଯି‌ସ୍‌ବୀୟ ଗୋଷ୍ଠୀ; ବରିୟଠାରୁ ବରିୟୀୟ ଗୋଷ୍ଠୀ।

45 ବରିୟର ପରିବାରଗୁଡ଼ିକ ହେଲେ ଏହିମାନେ: ହେବରଠାରୁ ହେବରୀୟ ଗୋଷ୍ଠୀ; ମଲକୀୟେଲଠାରୁ ମଲକୀୟେଲୀୟ ଗୋଷ୍ଠୀ।

46 ଆଶେରର ମଧ୍ୟ ଏକ କନ୍ୟା ଥିଲା, ତା'ର ନାମ ସାରହ।

47 ଆଶେରର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ଥିଲା 53,400

48 ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡ଼ିକ ହେଲେ: ଯହସୀୟେଲଠାରୁ ଯହସୀୟେଲୀୟ ଗୋଷ୍ଠୀ; ଗୂନିଠାରୁ ଗୂନୀୟ ଗୋଷ୍ଠୀ।

49 ଯେତ୍ସରଠାରୁ ଯେତ୍ସରୀୟ ଗୋଷ୍ଠୀ, ଶିଲ୍ଲେମଠାରୁ ଶିଲ୍ଲେମୀୟ ଗୋଷ୍ଠୀ।

50 ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,400 ଥିଲା।

51 ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା 601,730 ଥିଲା।

52 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

53 “ନାମ ସଂଖ୍ୟା ଅନୁସାରେ ସେମାନଙ୍କ ମଧ୍ୟରେ ଅଧିକାର ପାଇଁ ଦେଶ ବିଭକ୍ତ ହେବ।

54 ଯାହାର ବଡ଼ ଗୋଷ୍ଠୀ ତାକୁ ଅଧିକ ଭୂମି ଦେବ ଓ ଯାହାର ଛୋଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦେବ। ପ୍ରତ୍ୟେକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆଯିବା ଉଚିତ୍।

55 ତୁମ୍ଭେ ଗୁଲିବାଣ୍ଟ ଦ୍ୱାରା ଦେଶ ଭାଗ କରିବା ଉଚିତ୍। ସେମାନେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।

56 ଉଭୟ ଛୋଟ ଓ ବଡ଼ ଗୋଷ୍ଠୀଗଣ ଲୋକସଂଖ୍ୟା ଅନୁସାରେ ଗୁଲିବାଣ୍ଟ କରି ସେମାନଙ୍କର ଭୂମି ନିର୍ଦ୍ଧାରଣ କରାଯିବା ଉଚିତ୍।”

57 ସେମାନେ ମଧ୍ୟ ଲେବୀର ପରିବାରବର୍ଗଙ୍କୁ ଗଣନା କଲେ। ଲେବୀୟ ପରିବାରବର୍ଗଗୁଡ଼ିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀୟ ଗୋଷ୍ଠୀ; କହାତଠାରୁ କହାତୀୟ ଗୋଷ୍ଠୀ; ମରାରିଠାରୁ ମରାରୀୟ ଗୋଷ୍ଠୀ।

58 ଏହିସବୁ ଗୋଷ୍ଠୀଗୁଡ଼ିକ ମଧ୍ୟ ଲେବୀୟ ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ଲିବ୍ନୀୟ ଗୋଷ୍ଠୀ, ହିବ୍ରୋଣୀୟ ଗୋଷ୍ଠୀ, ମହଲୀୟ ଗୋଷ୍ଠୀ, ମୂଶୀୟ ଗୋଷ୍ଠୀ ଏବଂ କୋରହୀୟ ଗୋଷ୍ଠୀ। କହାତ ଅମ୍ରମର ପିତା ଥିଲେ।

59 ସେହି ଅମ୍ରମର ସ୍ତ୍ରୀ ଯୋକେବଦ। ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ।

60 ହାରୋଣଠାରୁ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର ଜନ୍ମ ହେଲେ।

61 କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହୋଇ ନାହିଁ।

62 ଲେବୀୟମାନଙ୍କର ସମୁଦାୟ ଏକ ମାସର ପୁରୁଷ ଓ ବୟଜ୍ୟେଷ୍ଠ ସଂଖ୍ୟା 23,000 ହେଲା। କିନ୍ତୁ ସେମାନଙ୍କୁ ଇସ୍ରାଏଲର ଲୋକ ବୋଲି ଗଣନା କରାଗଲା ନାହିଁ, କାରଣ ଇସ୍ରାଏଲର ଲୋକମାନଙ୍କର ପରି ସେମାନଙ୍କୁ ଭୂମି ଦିଆଗଲା ନାହିଁ।

63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସୀମାର ମୋୟାବ ପଦାରେ ଇସ୍ରାଏଲର ଲୋକମାନଙ୍କୁ ମୋଶା ଓ ଯାଜକ ଇଲିୟାସର ଗଣନା କଲେ।

64 ମାତ୍ର ସୀନୟ ମରୁଭୂମିରେ ଇସ୍ରାଏଲ ଲୋକମାନଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏମାନଙ୍କ ମଧ୍ୟରେ ନ ଥିଲା। ସେହି ଲୋକମାନେ ସମସ୍ତେ ମୃତ୍ୟୁବରଣ କରିଥିଲେ।

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite