Biblia Todo Logo
Bib sou entènèt

- Piblisite -

ଲେବୀୟ ପୁସ୍ତକ 24 - ପବିତ୍ର ବାଇବଲ


ପ୍ରଦୀପ ରୂଖା ଓ ପବିତ୍ର ରୋଟୀ

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସେମାନେ ପ୍ରତିଦିନ ପ୍ରଦୀପ ଜ୍ୱଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପେଷା ଯାଇଥିବା ଜୀତ ତୈଳ ଆଣିବେ।

3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା।

4 ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୁଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ଜଳାଇ ରଖିବ।

5 “ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ, ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ।

6 ସୁବର୍ଣ୍ଣ ମେଜ ଉପରେ ପ୍ରତି ଧାଡ଼ିରେ ଛଅ ଛଅ କରି ଦୁଇ ଧାଡ଼ିରେ ସେହିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖରେ ରଖିବ।

7 ଆଉ ରୋଟୀ ପରିବର୍ତ୍ତେ ସ୍ମରଣାର୍ଥକ ନୈବେଦ୍ୟରୂପେ ପ୍ରତି ଧାଡ଼ିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦେବ।

8 ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖରେ ରୋଟୀ ସବୁ ସମୟ ପାଇଁ ରଖିବ। ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଏହା ଅନନ୍ତକାଳୀନ ବିଧି ହେବା ଉଚିତ୍।

9 ସେହି ରୋଟୀ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କର ହେବ। ଆଉ ସେମାନେ ସେହି ରୋଟୀକୁ ଏକ ପବିତ୍ର ସ୍ଥାନରେ ଭକ୍ଷ୍ୟଣ କରିବା ଉଚିତ୍। କାରଣ ସେଗୁଡ଼ିକ ସଦାପ୍ରଭୁଙ୍କ ନୈବେଦ୍ୟର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସେମାନଙ୍କର ଅଂଶ ହେବ।”


ଜଣେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କୁ ଶାପ ଦେଲା

10 ଅନନ୍ତର ଜଣେ ମିଶରୀୟ ପୁରୁଷର ଔରସରେ ଇସ୍ରାଏଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇସ୍ରାଏଲ ପୁତ୍ର, ଇସ୍ରାଏଲୀୟମାନଙ୍କ ଛାଉଣି ଭିତରକୁ ଗଲା। ସେ ଛାଉଣିରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା।

11 ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା।

12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିଲେ।

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

14 “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ।

15 ଆଉ ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।

16 ଯେକେହି ଆପଣା ସଦାପ୍ରଭୁଙ୍କ ନାମରେ ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହେବ।

17 “ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ।

18 ଯେକେହି କୌଣସି ପଶୁକୁ ହତ୍ୟା କରେ ସେ ମାରିଥିବା ପଶୁର ପ୍ରାଣ ଫେରାଇ ଆଣି ତା'ର କ୍ଷତିପୂରଣ ଦେବ।

19 “ଯଦି କୌଣସି ବ୍ୟକ୍ତି ନିଜ ପ୍ରତିବାସୀକୁ ଆଘାତ କରେ, ତେବେ ସମପରିମାଣର ଆଘାତ ସେହି ଲୋକକୁ ଦିଆଯିବ।

20 କ୍ଷତ ବଦଳରେ କ୍ଷତ, ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ, ମନୁଷ୍ୟ ଶରୀରରେ ଯିଏ ଯେଉଁପରି ଆଘାତ କରିଅଛି ତାହା ପ୍ରତି ସେହି ପ୍ରକାର ଆଘାତ କରାଯିବ।

21 ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ।

22 “ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ୟବସ୍ଥା ହେବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

23 ତା'ପରେ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ କହିବାରୁ ସେମାନେ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite