Biblia Todo Logo
Bib sou entènèt

- Piblisite -

ଯିରିମୀୟ 1 - ପବିତ୍ର ବାଇବଲ

1 ଏହା ହେଉଛି ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ବାକ୍ୟ। ହି‌ଲ୍‌‌‌କିୟଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ୟରୁ ଜଣେ ଯିଏ କି ଅନାଥୋତ୍ ପ୍ରଦେଶର ବିନ୍ୟାମୀନଙ୍କର ଗୋଷ୍ଠୀର ଥିଲେ।

2 ଆମୋନଙ୍କ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ୱର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

3 ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ।


ଯିରିମିୟଙ୍କୁ ପରମେଶ୍ୱରଙ୍କ ଡାକରା

4 ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।

5 “ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”

6 ତା'ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”

7 ମାତ୍ର ସଦାପ୍ରଭୁ ମୋତେ କହିଲେ, “ଆମ୍ଭେ ଜଣେ ବାଳକ ବୋଲି, ‘କୁହ ନାହିଁ।’ କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।

8 ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।” ଏହା ସଦାପ୍ରଭୁ କହନ୍ତି।

9 ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ, “ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।

10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”


ଦୁଇ ଦର୍ଶନ

11 ଏହା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ଯଥା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”

12 ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ୟ ସଫଳ କରାଯାଇଛି।”

13 ପୁଣି ଦ୍ୱିତୀୟ ଥର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ତାହା ହେଲା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଲି, “ମୁଁ ଫୁଟନ୍ତା ପାଣି ପୂର୍ଣ୍ଣ ଏକ ରନ୍ଧା ହଣ୍ଡା ଦେଖୁଅଛି ଓ ତାହାର ମୁହଁ ଉତ୍ତର ଦିଗରୁ ଢଳିଅଛି।”

14 ତା'ପରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।”

15 ସଦାପ୍ରଭୁ ପୁଣି କହିଲେ, “ଏହା ହେବ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟ ସମୂହର ସମୁଦାୟ ଗୋଷ୍ଠୀକୁ ଡାକିବା।” “ତେଣୁ ସେମାନେ ଆସି ଯିରୁଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।

16 ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧରେ ଆମ୍ଭର ବିଗ୍ଭର ପ୍ରକାଶ କରିବା କାରଣ ସେମାନେ ଦୁଷ୍ଟ ପ୍ରକୃତିର ଲୋକ। ସେମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି, ସେମାନେ ଅନ୍ୟ ଦେବତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।

17 “ଏଣୁ ତୁମ୍ଭ ବିଷୟରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ। ସେମାନଙ୍କ ପାଇଁ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ। ତୁମ୍ଭେ ସେମାନଙ୍କ ପାଇଁ ଭୟଭୀତ ହେଲେ ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ କରିବା।

18 କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ।

19 ଯଦିଓ ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ, ସେମାନେ ତୁମ୍ଭକୁ ଜୟ କରି ପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା।” ଏହା ସଦାପ୍ରଭୁ କହନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite