Biblia Todo Logo
Bib sou entènèt

- Piblisite -

ଯାତ୍ରା ପୁସ୍ତକ 35 - ପବିତ୍ର ବାଇବଲ


ବିଶ୍ରାମ ଦିନର ବିଧି

1 ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ୟଗୁଡ଼ିକ ମୁଁ ତୁମ୍ଭକୁ କହିବି। ସେଗୁଡ଼ିକ ତୁମ୍ଭେ ପାଳନ କରିବ।

2 “ଛଅ ଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ୱତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମ ଦିନ ହେବ। ଯେକେହି ସେହି ପବିତ୍ର ଦିନରେ କର୍ମ କରିବ, ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।

3 ତୁମ୍ଭେମାନେ ବିଶ୍ରାମ ଦିନରେ କୌଣସି ବାସଗୃହରେ ଅଗ୍ନି ଜାଳିବ ନାହିଁ।”


ପବିତ୍ର ତମ୍ବୁ ପାଇଁ ବସ୍ତୁମାନ

4 ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କ ସମଗ୍ର ସଭାରେ ଏହା କହିଲେ, “ସଦାପ୍ରଭୁ ଏହିସବୁ ଆଜ୍ଞା ଦେଇଛନ୍ତି।

5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ବିଶେଷ ଉପହାର ସଂଗ୍ରହ କର। ପ୍ରତ୍ୟେକ ତାଙ୍କର ଇଚ୍ଛାମତେ ଉପହାର ଦେବେ। ଏବଂ ଏହା ପରେ ସେହି ଉପହାରଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।

6 ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁରବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ,

7 ରକ୍ତୀକୃତ, ମେଷଚର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମକାଠ,

8 ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ପାଇଁ ମସଲା ଓ ଧୂପ।

9 ଗୋମେଦକମଣି ଏବଂ ଅନ୍ୟାନ୍ୟ ଅଳଙ୍କାର ଏଫୋଦ ଓ ବିଗ୍ଭରାର୍ଥକ ବୁକୁପଟାରେ ଖଚିତ କରିବା ପାଇଁ।

10 “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ କର୍ମରେ ନିପୁଣ ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ସବୁକିଛି ନିର୍ମାଣ କର।

11 ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,

12 ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା,

13 ମେଜ ଓ ତହିଁର ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀୟ ରୋଟୀ,

14 ଦୀପ୍ତି ନିମନ୍ତେ ଦୀପରୁଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,

15 ଧୂପବେଦି, ତାରସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର।

16 ନୈବେଦ୍ୟ ଉତ୍ସର୍ଗ ନିମନ୍ତେ ଯଜ୍ଞବେଦି ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।

17 ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କଡ଼ା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା।

18 ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

19 ପବିତ୍ର ସ୍ଥାନର ସେବା ନିମନ୍ତେ ସୁଶୋଭିତ ବୁଣା ବସ୍ତ୍ର, ଏହିସବୁ ବିଶେଷ ବସ୍ତ୍ରଗୁଡ଼ିକ ଯାଜକ ହାରୋଣଙ୍କ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତେବେଳେ ସେମାନେ ଯାଜକ ରୂପେ ସେବା କରନ୍ତି।”


ଲୋକମାନଙ୍କର ମହାନ ନୈବେଦ୍ୟ

20 ଏହା ପରେ ଇସ୍ରାଏଲର ସଭାର ସମସ୍ତ ଲୋକେ ମୋଶାଙ୍କ ନିକଟରୁ ବିଦାୟ ନେଲେ।

21 ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେହେତୁ ସେମାନଙ୍କର ହୃଦୟ ଉଦାର ହୋଇଗଲା। ଏହି ସମସ୍ତ ଉପହାର ଦ୍ରବ୍ୟ ତମ୍ବୁରେ ଥିବା ସମସ୍ତ ଦ୍ରବ୍ୟ, ସମାଗମ-ତମ୍ବୁ ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଓ ବିଶେଷ ବସ୍ତ୍ର ତିଆରି କରିବାରେ ବ୍ୟବହୃତ ହେଲା।

22 ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଶିରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀୟ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

23 ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଥିଲା, ସେମାନେ ତାହା ଆଣିଲେ। ସେମାନେ ମଧ୍ୟ ଛାଗ ଲୋମ, ଲାଲ ରଙ୍ଗରେ ରଂଜିତ ମେଷଚର୍ମ ଏବଂ ସୂକ୍ଷ୍ମ ଚମଡ଼ା ଆଣିଲେ।

24 ପୁଣି ଯିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା।

25 ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।

26 ନିପୁଣା ସ୍ତ୍ରୀଲୋକମାନେ ସ୍ୱଇଚ୍ଛାରେ ଛାଗ ଲୋମରେ ସୂତା କାଟିଲେ।

27 ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି ଆଣିଲେ।

28 ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ଓ ଧୂପ ଆଣିଲେ।

29 ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦୟ ସେମାନଙ୍କୁ ଉଦାର କଲା, ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ଦେଇଥିବା ଆଜ୍ଞାନୁସାରେ କାର୍ଯ୍ୟ ପାଇଁ ଉପହାର ଆଣିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଆଣିଲେ।


ବତ୍ସଲେଲ ଓ ଅହଲୀୟାବ

30 ଏହା ପରେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଦେଖ, ସଦାପ୍ରଭୁ ବତ୍ସଲେଲକୁ ମନୋନୀତ କଲେ। ଯିଏ ଯିହୁଦା ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ବତ୍ସଲେଲ ଊରିର ପୁତ୍ର ଏବଂ ଊରି ହୂରର ପୁତ୍ର ଅଟେ।

31 ସଦାପ୍ରଭୁ ବତ୍ସଲେଲକୁ ପରମେଶ୍ୱରଙ୍କ ଜ୍ଞାନରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।

32 ସେ ଚିତ୍ର କର୍ମମାନ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଆଦିରେ ସୁନ୍ଦର କର୍ମମାନ କରି ପାରନ୍ତି।

33 ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଠ ଖୋଦନ ଏହିସବୁ କାର୍ଯ୍ୟମାନ କରିବା ପାଇଁ ତାଙ୍କୁ ନିପୁଣ କଲେ।

34 ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବକୁ ପ୍ରବୃତ୍ତ ଦେଲେ ଯେଉଁଥିରେ ସେମାନେ ଲୋକମାନଙ୍କୁ ଏ ବିଷୟରେ ଶିକ୍ଷା ଦେଇ ପାରିବେ। ଅହଲୀୟାବ ଥିଲେ ଅହୀଷାମଙ୍କର ପୁତ୍ର, ଯିଏ କି ଦାନ୍ ବଂଶର ଥିଲେ।

35 ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ୱତନ୍ତ୍ର ଜ୍ଞାନ କୌଶଳରେ ପରିପୂର୍ଣ୍ଣ କରିଛନ୍ତି, ସେମାନେ ଯେକୌଣସି କାର୍ଯ୍ୟମାନ କରି ପାରିବେ। ସେମାନେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରି ପାରିବେ। ସେମାନେ ସୁନ୍ଦର କାର୍ଯ୍ୟମାନ ଯଥା: ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ରରେ ସୂଚୀ କର୍ମରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ଯାବତୀୟ କର୍ମରେ ସେମାନଙ୍କୁ ନିପୁଣ କରିଛନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite