Biblia Todo Logo
Bib sou entènèt

- Piblisite -

ଯୂନସ 3 - ପବିତ୍ର ବାଇବଲ (Re-edited) - (BSI)


ନୀନିବୀକୁ ଯୂନସଙ୍କ ଯାତ୍ରା

1 ଅନନ୍ତର ଦ୍ଵିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା;

2 ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।

3 ତହିଁରେ ଯୁନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା।

4 ପୁଣି, ଯୁନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚୈଃସ୍ଵରରେ ଘୋଷଣା କରି କହିଲେ, ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ଉତ୍ପାଟିତ ହେବ।

5 ତହିଁରେ ନୀନିବୀର ଲୋକମାନେ ପରମେଶ୍ଵରଙ୍କ-ଠାରେ ବିଶ୍ଵାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ।


ନୀନିବୀର ଲୋକଙ୍କ ଅନୁତାପ

6 ଅନନ୍ତର ଏହିସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ଭସ୍ମରେ ବସିଲା।

7 ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ଵାଦନ ନ କରୁ; ସେମାନେ ଭୋଜନ କି ଜଳ-ପାନ ନ କରନ୍ତୁ;

8 ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ଵରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ।

9 କେଜାଣି ପରମେଶ୍ଵର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ତ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ନୋହିବା।

10 ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Swiv nou:



Piblisite