Biblia Todo Logo
Bib sou entènèt

- Piblisite -

ଏଫିସୀୟ 2 - ପବିତ୍ର ବାଇବଲ (Re-edited) - (BSI)


ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ପରିତ୍ରାଣ

1 ଏହି ସଂସାରର ଭାବ ଅନୁସାରେ, ପୁଣି ଆକାଶ-ମଣ୍ତଳ ରାଜ୍ୟର ଅଧିପତି,

2 ଅର୍ଥାତ୍, ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ;

3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ;

4 ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ଵର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ,

5 ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି- ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ-

6 ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ଵର୍ଗରେ ଉପବେଶନ କରାଇ ଅଛନ୍ତି,

7 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।

8 କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ,

9 କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।

10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ଵର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।


ଖ୍ରୀଷ୍ଟଙ୍କଠାରେ ଏକ

11 ଅତଏବ, ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ଵନ୍ଧରେ ବିଜାତି ଥିଲ ଓ ଶାରୀରିକଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ଵାରା ଅସୁନ୍ନତି ବୋଲି ଖ୍ୟାତ ହେଉଥିଲ,

12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲର ପ୍ରଜାସତ୍ତ୍ଵ ରହିତ, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ଵରବିହୀନ ହୋଇଥିଲ, ଏହା ସ୍ମରଣ କର।

13 କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ନିକଟସ୍ଥ ହୋଇଅଛ।

14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ଵରୂପ ମଧ୍ୟବର୍ତ୍ତୀ ବିଚ୍ଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,

15 ପୁଣି ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ଵରୂପେ ସୃଷ୍ଟି କରନ୍ତି,

16 ଆଉ କ୍ରୁଶ ଦ୍ଵାରା ଶତ୍ରୁତା ବିନାଶ କରି ତଦ୍ଦ୍ଵାରା ଉଭୟକୁ ଏକ ଶରୀର ସ୍ଵରୂପ ଗଠନ କରି ଈଶ୍ଵରଙ୍କ ସହିତ ମିଳିତ କରାନ୍ତି।

17 ଆଉ ଦୂରରେ ଥିଲ ଯେ ତୁମ୍ଭେମାନେ, ପୁଣି ନିକଟରେ ଥିଲେ ଯେ ସେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;

18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ଵାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।

19 ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ଵରଙ୍କ ପରିବାରଭୁକ୍ତ ଅଟ;

20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;

21 ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ଵରୂପେ ବୃଦ୍ଧି ପାଉଅଛି;

22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Swiv nou:



Piblisite