Biblia Todo Logo
Bib sou entènèt

- Piblisite -

ପ୍ରକାଶିତ 8 - ପବିତ୍ର ବାଇବଲ (CL) NT (BSI)


ସପ୍ତ ମୋହର

1 ମେଷଶାବକ ସପ୍ତମ ମୋହରଟି ଭାଙ୍ଗିବା କ୍ଷଣି ସ୍ୱର୍ଗରେ ପ୍ରାୟ ଅଧଘଣ୍ଟା ଯାଏ ସମ୍ପୂର୍ଣ୍ଣ ନିସ୍ତବ୍ଧତା ବିରାଜମାନ ହେଲା।

2 ତାହାପରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିବା ସାତ ଜଣ ଦୂତଙ୍କୁ ମୁଁ ଦେଖିଲି; ସେମାନଙ୍କୁ ସାତଟି ତୂରୀ ଦିଆଗଲା।

3 ଆଉ ଜଣେ ସ୍ୱର୍ଗଦୂତ ଗୋଟିଏ ସୁବର୍ଣ୍ଣ ଧୂପାଧାର ନେଇ ବେଦୀ ସମ୍ମୁଖରେ ଆସି ଠିଆ ହେଲେ। ସିଂହାସନ ସମ୍ମୁଖରେ ଥିବା ସୁବର୍ଣ୍ଣ ବେଦୀ ଉପରେ, ଈଶ୍ୱରଭକ୍ତମାନଙ୍କର ପ୍ରାର୍ଥନାରୂପ ଧୂପ ସହିତ ମିଶାଇ ଉତ୍ସର୍ଗ କରିବା ପାଇଁ, ତାଙ୍କୁ ପ୍ରଚୁର ପରିମାଣରେ ଧୂପ ଦିଆଗଲା।

4 ସେହି ସ୍ୱର୍ଗଦୂତଙ୍କ ହାତରେ ଜଳୁଥିବା ଧୂପର ଧୂଆଁ ସହିତ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନା ମିଶି ଯାଇ ଉପରକୁ ଉଠିଲା।

5 ତା’ପରେ ଦୂତ, ଧୂପଧାରରେ ବେଦୀର ଅଗ୍ନି ପୂର୍ଣ୍ଣ କରି ତାହା ପୃଥିବୀ ଉପରେ ଫୋପାଡ଼ି ଦେଲେ। ଏହା ଫଳରେ ବଜ୍ର ଧ୍ୱନି ହେଲା, ବିଦ୍ୟୁତ୍ ଚମକିଲା ଓ ଭୂମିକମ୍ପ ହେଲା।


ତୂରୀ ବାଦନ

6 ତା’ପରେ ଉପରୋକ୍ତ ସାତ ଜଣ ସ୍ୱର୍ଗଦୂତ ତୂରୀ ବଜାଇବାକୁ ପ୍ରସ୍ତୁତ ହେଲେ।

7 ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।

8 ତା’ପରେ ଦ୍ୱିତୀୟ ଦୂତ ତାଙ୍କର ତୂରୀ ବଜାଇବା କ୍ଷଣି ପର୍ବତ ପରି ଗୋଟିଏ ପ୍ରକାଣ୍ଡ ପଦାର୍ଥ ସମୁଦ୍ରରେ ନିକ୍ଷିପ୍ତ ହେଲା ଓ ସମୁଦ୍ରର ଏକ ତୃତୀୟାଂଶ ରକ୍ତରେ ପରିଣତ ହେଲା,

9 ସମୁଦ୍ର ପ୍ରାଣୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମରିଗଲେ ଏବଂ ସମୁଦ୍ରରେ ଥିବା ଜାହାଜଗୁଡ଼ିକର ଏକ ତୃତୀୟାଂଶ ଧ୍ୱଂସ ପାଇଗଲା।

10 ତାହାପରେ ତୃତୀୟ ଦୂତ ତାଙ୍କର ତୂରୀ ବଜାଇଲେ। ସଙ୍ଗେ ସଙ୍ଗେ ଆକାଶରୁ ମଶାଲ ପରି ଏକ ବୃହତ୍ ଜଳନ୍ତା ନକ୍ଷତ୍ର ସମସ୍ତ ନଦୀ ଓ ଝରଣାମାନଙ୍କର ଏକ ତୃତୀୟାଂଶ ଉପରେ ଖସି ପଡ଼ିଲା।

11 (ସେହି ନକ୍ଷତ୍ରର ନାମ “ତିକ୍ତତା”)। ଫଳରେ ପାନୀୟ ଜଳର ଏକ ତୃତୀୟାଂଶ ତିକ୍ତ ହୋଇଗଲା ଏବଂ ସେହି ପାଣି ପିଇ ଅନେକ ଲୋକଙ୍କର ମୃତ୍ୟୁ ହେଲା।

12 ତା’ପରେ ଚତୁର୍ଥ ଦୂତ ତାଙ୍କର ତୂରୀ ବଜାଇବା ମାତ୍ରେ, ସୂର୍ଯ୍ୟର ଏକ ତୃତୀୟାଂଶ, ଚନ୍ଦ୍ରର ଏକ ତୃତୀୟାଂଶ ଓ ନକ୍ଷତ୍ରଗୁଡ଼ିକର ଏକ ତୃତୀୟାଂଶ ବିନଷ୍ଟ ହେଲା। ତେଣୁ ଆଲୋକର ଏକ ତୃତୀୟାଂଶ ଉଜ୍ଜ୍ୱଳତା କମିଗଲା। ଫଳରେ ଦିନର ଏକ ତୃତୀୟାଂଶ ଏବଂ ରାତ୍ରିର ଏକ ତୃତୀୟାଂଶ ଆଲୋକରହିତ ହେଲା।

13 ତା’ପରେ ମୁଁ ଚାହିଁ ଦେଖିଲି, ଆକାଶର ବହୁ ଉଚ୍ଚରେ ଗୋଟିଏ ଉକ୍ର୍ରୋଶ ପକ୍ଷୀ ଉଡ଼ି ଉଡ଼ି ଉଚ୍ଚ ସ୍ୱରରେ କହୁଛି, “ହାୟ! କି ଭୟଙ୍କର! ଅନ୍ୟ ତିନି ଜଣ ଦୂତ ତୂରୀ ବଜାଇବା ସମୟରେ ପୃଥ୍ୱୀବାସୀଙ୍କ ଅବସ୍ଥା କେଡ଼େ ସାଙ୍ଘାତିକ ନ ହେବ!”

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Swiv nou:



Piblisite