Biblia Todo Logo
Bib sou entènèt

- Piblisite -

ପ୍ରକାଶିତ 13 - ପବିତ୍ର ବାଇବଲ (CL) NT (BSI)


ଦୁଇଟି ପଶୁ

1 ତାହାପରେ ମୁଁ ଦେଖିଲି, ଗୋଟିଏ ପଶୁ ସମୁଦ୍ର ଭିତରୁ ଉଠି ଆସୁଛି। ତାହାର ଦଶଟି ଶୃଙ୍ଗ ଓ ସାତଟି ମସ୍ତକ। ପ୍ରତ୍ୟେକ ଶୃଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା ଓ ପ୍ରତ୍ୟେକ ମସ୍ତକରେ ଗୋଟିଏ ଗୋଟିଏ ଈଶ୍ୱର ନିନ୍ଦାସୂଚକ ନାମ ଲେଖାଯାଇଥିଲା।

2 ପଶୁଟି ଗୋଟିଏ ଚିତାବାଘ ପରି ଦେଖାଯାଉଥିଲା। ତାହାର ପାଦ ଭାଲୁ ପାଦ ପରି ଏବଂ ପାଟି ସିଂହ ପାଟି ପରି। ପୂର୍ବବର୍ଣ୍ଣିତ ଲୋହିତ ବର୍ଣ୍ଣର ବିକଟାଳ ସର୍ପ ଏହି ପଶୁକୁ ନିଜର ଶକ୍ତି, ସିଂହାସନ ଓ ଅଶେଷ କ୍ଷମତା ସମର୍ପଣ କଲା।

3 ପଶୁର ଗୋଟିଏ ମସ୍ତକ ଗୁରୁତର ଆଘାତ ପାଇଥିବା ପରି ମନେ ହେଉଥିଲା। କିନ୍ତୁ କ୍ଷତ ସ୍ଥାନଟି ଭଲ ହୋଇଯାଇଥିଲା ଏବଂ ପୃଥ୍ୱୀବାସୀ ସମସ୍ତେ ବିସ୍ମୟାଭିଭୂତ ହୋଇ ପଶୁର ଅନୁସରଣ କଲେ।

4 ପୁଣି, ସମସ୍ତେ ପଶୁକୁ କ୍ଷମତାପନ୍ନ କରିଥିବା ସର୍ପର ପୂଜା କଲେ। ସେମାନେ ପଶୁକୁ ମଧ୍ୟ ପୂଜା କରି କହିଲେ, “କିଏ ଏହି ପଶୁର ସମକକ୍ଷ ହେବ? କିଏ ତାହା ବିପକ୍ଷରେ ଯୁଦ୍ଧ କରିପାରିବ?”

5 ପଶୁଟି ବଡ଼ାଇ କରି କଥା କହୁଥିଲା ଓ ଈଶ୍ୱରନିନ୍ଦା କରୁଥିଲା, ତଥାପି ବୟାଳିଶ ମାସ ପର୍ଯ୍ୟନ୍ତ ଆଧିପତ୍ୟ କରିବା ପାଇଁ ତାକୁ ଅନୁମତି ମିଳିଲା।

6 ଈଶ୍ୱରଙ୍କୁ, ତାଙ୍କ ନାମ ଓ ତାଙ୍କ ବାସସ୍ଥାନ ଏବଂ ସ୍ୱର୍ଗବାସୀ ସମସ୍ତଙ୍କୁ ସେ ଅଭିଶାପ ଦେବାକୁ ଲାଗିଲା।

7 ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାକୁ ସେ ଅନୁମତି ପାଇଲା ଓ ପ୍ରତ୍ୟେକ ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାଭାଷୀ ଓ ଜାତି ଉପରେ ତାକୁ କ୍ଷମତା ଦିଆଗଲା।

8 ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।

9-10 “ଶୁଣିବାକୁ କାନ ଥିଲେ, ଶୁଣ: ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଯେ ବନ୍ଦୀ ହେବାର ଅଛି, ସେ ନିଶ୍ଚୟ ବନ୍ଦୀ ହେବ। ଯେ ଅନ୍ୟକୁ ଖଡ଼୍ଗରେ ବଧ କରେ, ସେ ନିଜେ ଖଡ଼୍ଗ ଦ୍ୱାରା ହିଁ ନିହତ ହେବ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଧୈର୍ଯ୍ୟ ଓ ବିଶ୍ୱାସ ଏକାନ୍ତ ଆବଶ୍ୟକ।”

11 ତାହାପରେ ମୁଁ ଦେଖିଲି, ଆଉ ଗୋଟିଏ ପଶୁ ଭୂଗର୍ଭରୁ ଉଠି ଆସୁଛି। ମେଷଶାବକର ଶୃଙ୍ଗ ପରି ତାହାର ଦୁଇଟି ଶୃଙ୍ଗ ଥିଲା ଏବଂ ସେ ପୂର୍ବୋକ୍ତ ସର୍ପ ପରି କଥା କହୁଥିଲା।

12 ଏହି ଦ୍ୱିତୀୟ ପଶୁଟି ପ୍ରଥମ ପଶୁର ଉପସ୍ଥିତିରେ ତା’ର କ୍ଷମତା ପ୍ରୟୋଗ କରି ପ୍ରଥମ ପଶୁର ପୂଜା କରିବା ପାଇଁ ପୃଥ୍ୱୀବାସୀ ସମସ୍ତଙ୍କୁ ବାଧ୍ୟ କଲା।

13 ଦ୍ୱିତୀୟ ପଶୁଟି ମହାଅଲୌକିକ କାର୍ଯ୍ୟସବୁ ସାଧନ କଲା। ସମସ୍ତଙ୍କ ସମ୍ମୁଖରେ ସ୍ୱର୍ଗରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଇଲା

14 ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।

15 ପ୍ରଥମ ପଶୁର ପ୍ରତିମୂର୍ତ୍ତିରେ ପ୍ରାଣବାୟୁ ଦେଇ ତାକୁ ସଜୀବ କରିବା କୌଶଳ ଦ୍ୱିତୀୟ ପଶୁ ଜାଣିଥିଲା। ଅନନ୍ତର ପ୍ରତିମୂର୍ତ୍ତିଟି କଥା କହିଲା ଓ ଯେଉଁମାନେ ତାହାର ପୂଜା କଲେ ନାହିଁ, ସେମାନଙ୍କୁ ସଂହାର କରିବାକୁ ସକ୍ଷମ ହେଲା।

16 ଉଚ୍ଚନୀଚ, କ୍ରୀତଦାସ ବା ସ୍ୱାଧୀନ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଏକ ସଙ୍କେତ ସ୍ଥାପନ କରିବାକୁ ସେ ଲୋକମାନଙ୍କୁ ବାଧ୍ୟ କଲା।

17 ପଶୁର ନାମ ବା ସେହି ନାମର ପ୍ରତୀକ ଏକ ସଂଖ୍ୟା ଧାରଣ କରି ନ ଥିବା କେହି କ୍ରୟ ବିକ୍ରୟ କରିପାରିବେ ନାହିଁ ବୋଲି ପଶୁ ଆଦେଶ ଦେଲା।

18 ଏହି ସଂଖ୍ୟାର ତାତ୍ପର୍ଯ୍ୟ ବୁଝିବା ପାଇଁ ପ୍ରଜ୍ଞାର ପ୍ରୟୋଜନ। ବୁଦ୍ଧିମାନ ଲୋକମାନେ ତାହା ବୁଝି ପାରିବେ। ତାହା ଏକ ବ୍ୟକ୍ତିର ନାମସୂଚକ। ସେହି ସଂଖ୍ୟା ହେଉଛି, ଛଅ ଶହ ଛଷଠି।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Swiv nou:



Piblisite