ପରମ ଗୀତ 6 - ଓଡିଆ ବାଇବେଲଅନ୍ୟମାନେ 1 ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି ? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡେ ଯାଇଛନ୍ତି କୁହ ? କନ୍ୟା 2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଅଛନ୍ତି। 3 ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର; ସେ କଇଁଫୁଲ ବନରେ ଆପଣା ପଲ ଚରାନ୍ତି। ବର 4 ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ। 5 ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲୀୟଦ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ। 6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ। 7 ତୁମ୍ଭ ଓଢ଼ଣା ତଳେ ତୁମ୍ଭର ଗାଲ ଡାଳିମ୍ବଖଣ୍ଡ ସଦୃଶ। 8 ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି। 9 ମାତ୍ର ମୋ’ କପୋତୀ, ମୋ’ ଶୁଦ୍ଧମତି ଅଦ୍ୱିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ। 10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ ? କନ୍ୟା 11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍ରୋଟ୍ ଉଦ୍ୟାନକୁ ଗଲି। 12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋ’ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା। ଅନ୍ୟମାନେ 13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ ? |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.