ପ୍ରକାଶିତ 1 - ଓଡିଆ ବାଇବେଲଉପକ୍ରମଣିକା 1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ । 2 ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ କଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି । 3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ କାରଣ ସମୟ ସନ୍ନିକଟ । ସପ୍ତ ମଣ୍ଡଳୀକୁ ଅଭିବାଦନ 4 ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ 5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, 6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ । ଆମେନ୍ । 7 ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ । 8 ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ । ମନୁଷ୍ୟପୁତ୍ରଙ୍କର ଦର୍ଶନ 9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି । 10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, 11 ତୁମ୍ଭେ ଯାହା ଦର୍ଶନ କରୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ଡଳୀ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା, ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକୀଆ ନିକଟକୁ ପ୍ରେରଣ କର । 12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି । ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, 13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ; 14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଲବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ, 15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ । 16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା । 17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ, 18 ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି । 19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହି ସବୁ ଲିପିବଦ୍ଧ କର । 20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ (ପାଳକ/ପ୍ରାଚୀନ) ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.