ଗୀତସଂହିତା 54 - ଓଡିଆ ବାଇବେଲଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଦାଉଦ କ’ଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ ? ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ। 1 ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର। 2 ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋ’ ମୁଖର କଥାରେ କର୍ଣ୍ଣପାତ କର। 3 କାରଣ ଅପରିଚିତ ଲୋକମାନେ ମୋ’ ବିରୁଦ୍ଧରେ ଉଠିଅଛନ୍ତି, ପୁଣି, ଦୁରନ୍ତ ଲୋକମାନେ ମୋ’ ପ୍ରାଣ ଖୋଜି ଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। [ସେଲା] 4 ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; ପ୍ରଭୁ ମୋ’ ପ୍ରାଣରକ୍ଷକ ଅଟନ୍ତି। 5 ସେ ମୋ’ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର। 6 ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୁ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ। 7 ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋ’ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.