ଗୀତସଂହିତା 47 - ଓଡିଆ ବାଇବେଲସର୍ବୋପରିସ୍ଥ ଅଧିପତି ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। 1 ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 2 କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। 3 ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। 4 ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ। [ସେଲା] 5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। 6 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, ପ୍ରଶଂସାଗାନ କର। 7 କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର। 8 ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। 9 ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.