ଗୀତସଂହିତା 42 - ଓଡିଆ ବାଇବେଲଦ୍ୱିତୀୟ ଖଣ୍ଡ 42:1—72:20 ନିର୍ବାସିତର ପ୍ରାର୍ଥନା (୧) ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)। 1 ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋ’ ପ୍ରାଣ ତୁମ୍ଭ ପାଇଁ ଧକାଏ। 2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋ’ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି ? 3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି ?” 4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି। 5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ? ତୁ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛୁ ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି। 6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋ’ ଅନ୍ତରରେ ଶୋକାକୁଳ ହେଉଅଛି; ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ ମିତ୍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି। 7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, ତୁମ୍ଭର ଢେଉ ଓ ତରଙ୍ଗସବୁ ମୋ’ ଉପରେ ଯାଇଅଛି। 8 ତଥାପି ସଦାପ୍ରଭୁ ଦିନବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ। 9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, “ତୁମ୍ଭେ କାହିଁକି ମୋତେ ପାସୋରିଅଛ ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି ବୁଲୁଅଛି ?” 10 ମୋ’ ଅସ୍ଥିରେ ଖଡ୍ଗ ପରି ମୋ’ ବିପକ୍ଷଗଣ ମୋତେ ତିରସ୍କାର କରନ୍ତି; କାରଣ ସେମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି ?” 11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ ? ପୁଣି, ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ? ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.