ଗୀତସଂହିତା 41 - ଓଡିଆ ବାଇବେଲପୀଡ଼ିତର ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 1 ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। 2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ। 3 ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ; ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର। 4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର; ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି।” 5 ମୋହର ଶତ୍ରୁଗଣ ମୋ’ ବିରୁଦ୍ଧରେ ହିଂସାର କଥା କହି ବୁଲନ୍ତି, ସେ କେବେ ମରିବ ଓ ତାହାର ନାମ ଲୁପ୍ତ ହେବ ? 6 ପୁଣି ସେ ଯଦି ମୋତେ ଦେଖିବାକୁ ଆସେ, ସେ କହେ; ତାହାର ହୃଦୟ ଆପଣା ପାଇଁ ଅଧର୍ମ ସଞ୍ଚୟ କରେ; ସେ ବାହାରେ ଯାଇ ତାହା କହି ବୁଲେ। 7 ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋ’ ବିରୁଦ୍ଧରେ ଫୁସ୍ଫୁସ୍ କରନ୍ତି; ସେମାନେ ମୋ’ ବିପକ୍ଷରେ ଅନିଷ୍ଟ କଳ୍ପନା କରନ୍ତି। 8 ସେମାନେ କହନ୍ତି, “କୌଣସି ମନ୍ଦ ବ୍ୟାଧି ତାହାଠାରେ ଲାଗି ରହିଅଛି; ଏବେ ସେ ପଡ଼ିଅଛି, ଆଉ ଉଠିବ ନାହିଁ।” 9 ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି, ଯେ ମୋହର ରୁଟି ଖାଇଲା, ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି। 10 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଦୟା କରି ମୋତେ ଉଠାଅ, ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି। 11 ମୋହର ଶତ୍ରୁ ମୋ’ ଉପରେ ଜୟଧ୍ୱନି କରୁ ନାହିଁ, ଏଥିସକାଶୁ ମୁଁ ଜାଣେ ଯେ, ତୁମ୍ଭେ ମୋ’ଠାରେ ସନ୍ତୁଷ୍ଟ ଅଛ। 12 ତୁମ୍ଭେ ମୋ’ ସରଳତାରେ ମୋତେ ଧରି ରଖୁଅଛ। 13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍, ଆମେନ୍। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.