ଗୀତସଂହିତା 38 - ଓଡିଆ ବାଇବେଲଦୁଃଖୀର ପ୍ରାର୍ଥନା ଦାଉଦଙ୍କର ଗୀତ, ସ୍ମରଣୋପାୟ। 1 ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ। 2 କାରଣ ତୁମ୍ଭର ତୀରସବୁ ମୋ’ଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। 3 ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ ନାହିଁ। 4 କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ। 5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି। 6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ। 7 କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ। 8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। 9 ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। 10 ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି। 11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋ’ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି। 12 ମଧ୍ୟ ଯେଉଁମାନେ ମୋ’ ପ୍ରାଣ ଚାହାନ୍ତି, ସେମାନେ ମୋ’ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି। 13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ। 14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ। 15 କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ। 16 କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’ ଉପରେ ଆନନ୍ଦ କରିବେ; ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’ ପ୍ରତିକୂଳରେ ଦର୍ପ କରନ୍ତି। 17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋ’ ସମ୍ମୁଖରେ ଥାଏ। 18 ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି। 19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି। 20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ। 21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। 22 ହେ ପ୍ରଭୁ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.