Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 21 - ଓଡିଆ ବାଇବେଲ


ଜୟ ଗାନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୁ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ !

2 ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ। [ସେଲା]

3 କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ।

4 ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାଙ୍କୁ ଦେଲ; ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ।

5 ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ;

6 କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।

7 କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ।

8 ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ।

9 ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟୀ ତୁଲ୍ୟ କରିବ। ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ।

10 ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ ଓ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ।

11 କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରି ପାରନ୍ତି ନାହିଁ।

12 ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ, ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ।

13 ହେ ସଦାପ୍ରଭୁ, ନିଜ ବଳରେ ଉନ୍ନତ ହୁଅ; ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan