ଗୀତସଂହିତା 142 - ଓଡିଆ ବାଇବେଲସହାୟତା ପାଇଁ ପ୍ରାର୍ଥନା ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍; ପ୍ରାର୍ଥନା। 1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ; 2 ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ; ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। 3 ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋ’ ଗମନ ପଥରେ ସେମାନେ ମୋ’ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି। 4 ମୋ’ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋ’ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। 5 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ; ମୁଁ କହିଲି, “ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ। 6 ମୋ’ କାକୂକ୍ତିରେ ମନୋଯୋଗ କର; କାରଣ ମୁଁ ଅତି ଅଧୋନତ ହୋଇଅଛି; ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; କାରଣ ସେମାନେ ମୋ’ ଅପେକ୍ଷା ବଳବାନ। 7 କାରାଗାରରୁ ମୋ’ ପ୍ରାଣ ଉଦ୍ଧାର କର, ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି; ଧାର୍ମିକମାନେ ମୋତେ ବେଷ୍ଟନ କରିବେ; କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।” |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.