ଗୀତସଂହିତା 140 - ଓଡିଆ ବାଇବେଲଆଶ୍ରୟ ଭିକ୍ଷା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 1 ହେ ସଦାପ୍ରଭୁ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର। 2 ସେମାନେ ମନେ ମନେ କୁକଳ୍ପନା କରନ୍ତି; ସେମାନେ ଯୁଦ୍ଧ କରିବାକୁ ପ୍ରତି ଦିନ ଏକତ୍ରିତ ହୁଅନ୍ତି। 3 ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି; ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା] 4 ହେ ସଦାପ୍ରଭୁ, ଦୁଷ୍ଟର ହସ୍ତରୁ ମୋତେ ରଖ; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର; ସେମାନେ ବିପଥକୁ ମୋ’ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି। 5 ଅହଙ୍କାରୀମାନେ ଗୋପନରେ ମୋ’ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି। ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି; ସେମାନେ ମୋ’ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା] 6 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋହର ପରମେଶ୍ୱର; ହେ ସଦାପ୍ରଭୁ, ମୋ’ ନିବେଦନର ରବରେ କର୍ଣ୍ଣପାତ କର।” 7 ହେ ମୋ’ ପରିତ୍ରାଣର ବଳ ସ୍ୱରୂପ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଯୁଦ୍ଧର ଦିନରେ ମୋ’ ମସ୍ତକ ରକ୍ଷା କରିଅଛ। 8 ହେ ସଦାପ୍ରଭୁ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ; ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା] 9 ଯେଉଁମାନେ ମୋତେ ଘେରିଅଛନ୍ତି, ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ। 10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ। ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ। 11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ। 12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ। 13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ; ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.