ମାର୍କ 8 - ଓଡିଆ ବାଇବେଲଚାରି ହଜାର ଲୋକଙ୍କୁ ଭୋଜନ କରିବା ( ମାଥିଉ 15:32-39 ) 1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ, 2 ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ' ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ । 3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି । 4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରି ପାରିବ ? 5 ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ସେମାନେ କହିଲେ, ସାତୋଟି । 6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହି ସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ । 7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ । 8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ବେତା ବଳକା ଭଙ୍ଗା ରୁଟି ଉଠାଇଲେ । 9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ । 10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍ମନୂଥା ଅଞ୍ଚଳକୁ ଆସିଲେ । ଫାରୂଶୀମାନଙ୍କ ଚିହ୍ନର ଦାବି ( ମାଥିଉ 16:1-4 ) 11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ । 12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁଁକି ଚିହ୍ନ ଅନ୍ୱେଷଣ କରୁଅଛି ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁଁ । 13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକି ବାହାରିଗଲେ । ହେରୋଦ ଓ ଫାରୂଶୀଙ୍କର ଖମୀର ( ମାଥିଉ 16:5-12 ) 14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା । 15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ । 16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି ସେ ଏହା କହୁଅଛନ୍ତି । 17 ସେ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ? ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ ? 18 ତୁମ୍ଭମାନଙ୍କ ହୃଦୟ କ'ଣ ଜଡ଼ ହୋଇ ରହିଅଛି ? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ ? 19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ । 20 ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ବେତାଗୁଡିକ ଭଙ୍ଗା ଖଣ୍ଡ ଉଠାଇନେଇଥିଲ ? ସେମାନେ କହିଲେ, ସାତ ଟୋକେଇ । 21 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ? ବେଥ୍ସାଇଦାରେ ଜଣେ ଅନ୍ଧକୁ ଦୃଷ୍ଟି ଦାନ 22 ପରେ ସେମାନେ ବେଥ୍ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ । 23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ ? 24 ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି । 25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା । 26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅନାହିଁଁ । ଯୀଶୁଙ୍କୁ ଖ୍ରୀଷ୍ଟ ରୂପେ ପିତରଙ୍କ ସ୍ୱୀକାର ( ମାଥିଉ 16:13-20 ; ଲୂକ 9:18-21 ) 27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଅଣ କହନ୍ତି ? 28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲିୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ । 29 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ । 30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ । ନିଜ ମୃତ୍ୟୁ ଏବଂ ଉତ୍ଥାନ ବିଷୟରେ ଯୀଶୁଙ୍କ ସୂଚନା ( ମାଥିଉ 16:21-23 ; ଲୂକ 9:22 ) 31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ । 32 ଏହି କଥା ସେ ସ୍ପଷ୍ଟରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ । 33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ । ଯୀଶୁ ପଛେ ଅନୁଗମନ କରିବା ( ମାଥିଉ 16:24-28 ; ଲୂକ 9:23-27 ) 34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । 35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । 36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ ? 37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ ? 38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.