ମାର୍କ 6 - ଓଡିଆ ବାଇବେଲନାଜରିତରେ ଯୀଶୁ ଉପେକ୍ଷିତ ( ମାଥିଉ 13:53-58 ; ଲୂକ 4:16-30 ) 1 ସେ ସ୍ଥାନରୁ ସେ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ । 2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହି ସବୁ କେଉଁଠାରୁ ହେଲା ? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ ? 3 ଏ କି ସେହି ବଢ଼େଇ ନୁହେଁ ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋସି, ଯିହୁଦା ଓ ଶିମୋନର ଭାଇ ନୁହେଁ ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । 4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ । 5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ । 6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ । ବାର ଶିଷ୍ୟଙ୍କୁ ପ୍ରେରଣ ( ମାଥିଉ 10:5-15 ; ଲୂକ 9:1-6 ) 7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ସେ ଦ୍ୱାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ, 8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି କଟିବନ୍ଧନୀରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ; 9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ । 10 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ । 11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ । 12 ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ, 13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ । ବାପ୍ତିଜକ ଯୋହନଙ୍କ ମୃତ୍ୟୁ ( ମାଥିଉ 14:1-12 ; ଲୂକ 9:7-9 ) 14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି । 15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ । 16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି । 17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । 18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ । 19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ; 20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ । 21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; 22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା । 23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା । 24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ । 25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ । 26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ । 27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, 28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା । 29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ । ପ୍ରେରିତମାନଙ୍କର ଏକତ୍ରୀକରଣ ( ମାଥିଉ 14:13 , 14 ; ଲୂକ 9:10 ) 30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହି ସବୁ ତାହାଙ୍କୁ ଜଣାଇଲେ । 31 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା । 32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ । ପାଞ୍ଚ ରୁଟି ଦୁଇ ମାଛ ( ମାଥିଉ 14:15-21 ; ଲୂକ 9:11-17 ; ଯୋହନ 6:1-14 ) 33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ । 34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ । 35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି; 36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ । 37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା ? 38 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ । 39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ । 40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ । 41 ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ । 42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, 43 ଆଉ ସେମାନେ ଭଙ୍ଗା ରୁଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ । 44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ । ଯୀଶୁଙ୍କ ଜଳ ଉପରେ ଚାଲିବା ( ମାଥିଉ 14:22-33 ; ଯୋହନ 6:15-21 ) 45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକି ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ । 46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ । 47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ । 48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ । 49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, 50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍ବିଗ୍ନ ହୋଇଥିଲେ । ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, ସାହସ ଧର, ଏ ତ ମୁଁ , ଭୟ କର ନାହିଁ । 51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ, 52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା । ଗିନ୍ନେସରତ୍ରେ ରୋଗୀଙ୍କ ସୁସ୍ଥତା ( ମାଥିଉ 14:34-36 ) 53 ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ । 54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି, 55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ । 56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.