ମାର୍କ 3 - ଓଡିଆ ବାଇବେଲଶୁଷ୍କ ହସ୍ତ ବିଶିଷ୍ଟ ବ୍ୟକ୍ତିର ସୁସ୍ଥତା ( ମାଥିଉ 12:9-14 ; ଲୂକ 6:6 , 11 ) 1 ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ । ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । 2 ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି । 3 ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ । 4 ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ ? ଭଲ କରିବା ନା ମନ୍ଦ କରିବା ? ପ୍ରାଣ ରକ୍ଷା କରିବା ନା ବିନାଶ କରିବା ? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ । 5 ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ । ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା । 6 ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ । ଯୀଶୁଙ୍କର ଅନୁଗାମୀ ମହାଜନତା ( ମାଥିଉ 4:25 ; ମାର୍କ 4:1 ; ଲୂକ 5:1-3 ) 7 ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍ଗମନ କଲେ; ଆଉ ଯିହୂଦା, 8 ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ । 9 ସେତେବେଳେ ଭୀଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ଡଙ୍ଗା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ; 10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । 11 ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ୱରଙ୍କ ପୁତ୍ର । 12 ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ । ଯୀଶୁଙ୍କ ବାର ଶିଷ୍ୟ ମନୋନୟନ ( ମାଥିଉ 10:1-4 ; ଲୂକ 6:12-16 ) 13 ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ । 14 ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, 15 ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ । 16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ । 17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ; 18 ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ, 19 ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା । ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ( ମାଥିଉ 12:22-32 ; ଲୂକ 11:14-23 ; 12:10 ) 20 ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ । 21 ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି । 22 ଆଉ, ଯିରୂଶାଲମରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ । 23 ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ ? 24 ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ । 25 ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ । 26 ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି । 27 ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରି ପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ । 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟ ସନ୍ତାନମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ୱର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ; 29 କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ । 30 ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ । ଯୀଶୁଙ୍କ ମା ଓ ଭାଇମାନେ ( ମାଥିଉ 12:46-50 ; ଲୂକ 8:19-21 ) 31 ସେତେବେଳେ ତାହାଙ୍କ ମା ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇପଠାଇଲେ । 32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି । 33 ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ମା ଓ ଭାଇମାନେ କିଏ ? 34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ, ମୋହର ମା ଓ ମୋହର ଭାଇମାନେ । 35 ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.