ମାଥିଉ 7 - ଓଡିଆ ବାଇବେଲଅନ୍ୟର ବିଚାର ନ କରିବା ( ଲୂକ 6:37 , 41 , 42 ) 1 ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । 2 କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । 3 ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ ? 4 ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! 5 ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । 6 ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି । ମାଗ, ଖୋଜ ଓ ଦ୍ୱାରରେ ଆଘାତ କର ( ଲୂକ 11:9-13 ) 7 ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । 8 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ । 9 କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, 10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? 11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ ! ଧର୍ମଶାସ୍ତ୍ରର ସାର ( ଲୂକ 13:24 ) 12 ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର । 13 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । 14 ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ । ଗଛ ଓ ତା' ଫଳ ( ଲୂକ 6:43 , 44 , 46 ; 13:25-27 ) 15 ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ! 16 ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ? 17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। 18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । 19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । 20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ( ମାଥିଉ 25:12 ; ଯିଶାଇୟ 29:13 ) 21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । 22 ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ ? 23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ । ଦୁଇ ଗୃହ ନିର୍ମାଣକାରୀ ( ଲୂକ 6:47-49 ) 24 ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । 25 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । 26 ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁର୍ଖ ଲୋକ ଭଳି ହେବ । 27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା । ଯୀଶୁଙ୍କର ଅଧିକାର ( ମାଥିଉ 13:54 ; 22:33 ; ଲୂକ 4:22 , 32 ; ମାର୍କ 6:2 ) 28 ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, 29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.