ମାଥିଉ 16 - ଓଡିଆ ବାଇବେଲଯୂନସଙ୍କ ଚିହ୍ନ ( ମାର୍କ 8:11-13 ; ଲୂକ 12:54-56 ) 1 ଫାରୂଶୀ ଓ ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ । 2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ,କାରଣ ଆକାଶ ଲାଲ ହୋଇଅଛି । 3 ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ ? 4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ । ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ( ମାର୍କ 8:14-21 ) 5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି । 6 ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ । 7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି । 8 କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ? 9 ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକାଇ ଉଠାଇଲ, 10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହି ସବୁ କି ତୁମ୍ଭର ମନେ ନାହିଁ ? 11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ । 12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ । ଯୀଶୁଙ୍କୁ ଖ୍ରୀଷ୍ଟ ରୂପେ ପିତରଙ୍କ ସ୍ୱୀକାର ( ମାର୍କ 8:27-30 ; ଲୂକ 9:18-21 ) 13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି ? 14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ । 15 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? 16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର । 17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି । 18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ । 19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ । 20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ । ନିଜ ମୃତ୍ୟୁ ଏବଂ ଉତ୍ଥାନ ବିଷୟରେ ଯୀଶୁଙ୍କ ସୂଚନା ( ମାର୍କ 8:31-33 ; ଲୂକ 9:22 ) 21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ । 22 ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ନା ପ୍ରଭୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ । 23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ । ଯୀଶୁଙ୍କ ଅନୁଗମନକାରୀ ହେବାର ଅର୍ଥ ( ମାର୍କ 8:34—9:1 ; ଲୂକ 9:23-27 ) 24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ । 25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ । 26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ ? 27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ । 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.