ମାଥିଉ 13 - ଓଡିଆ ବାଇବେଲବୁଣାଳୀର ଦୃଷ୍ଟାନ୍ତ ( ମାର୍କ 4:1-9 ; ଲୂକ 8:4-8 ) 1 ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ । 2 ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ । 3 ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା । 4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ । 5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା । 7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବାଡ଼ହୋଇ ସେଗୁଡ଼ିକୁ ଚାପି ପକାଇଲା । 8 ମାତ୍ର ଅନ୍ୟ କେତେକ ଭଲ ଭୂଇଁ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶି ଗୁଣ । 9 ଯାହାର କାନ ଅଛି ସେ ଶୁଣୁ । ଦୃଷ୍ଟାନ୍ତର ଉଦ୍ଦେଶ୍ୟ ( ମାର୍କ 4:10-12 ; ଲୂକ 8:9 , 10 ) 10 ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି ? 11 ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ । 12 ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 13 ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି । 14 ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; 15 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । 16 କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ । 17 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ । ବୁଣାଳୀ ଦୃଷ୍ଟାନ୍ତର ତାତ୍ପର୍ଯ୍ୟ ( ମାର୍କ 4:13-20 ; ଲୂକ 8:11-15 ) 18 ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ । 19 ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । 20 ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, 21 ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । 22 ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । 23 କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ । ବାଳୁଙ୍ଗାର ଦୃଷ୍ଟାନ୍ତ 24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ; 25 ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ । 26 ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା,ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା । 27 ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କ'ଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ ? ତେବେ ବାଳୁଙ୍ଗାଗୁଡ଼ିକ କେଉଁଠାରୁ ହେଲା ? 28 ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା ? 29 କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ । 30 ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଚାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ । ସୋରିଷ ଦାନାର ଦୃଷ୍ଟାନ୍ତ ( ମାର୍କ 4:30-32 ; ଲୂକ 13:18 , 19 ) 31 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା । 32 ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି । ଖମୀର ଦୃଷ୍ଟାନ୍ତ ( ଲୂକ 13:20 , 21 ) 33 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼େଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା । ଦୃଷ୍ଟାନ୍ତ ଓ ଭାବବାଣୀ ( ମାର୍କ 4:33 , 34 ) 34 ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ, 35 ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା । ବାଳୁଙ୍ଗା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ 36 ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ସ୍ପଷ୍ଟରୂପେ ବୁଝାଇ ଦିଅନ୍ତୁ । 37 ସେ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର; 38 କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ; 39 ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ । 40 ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ । 41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ, 42 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । 43 ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ । ପୋତା ଧନର ଦୃଷ୍ଟାନ୍ତ 44 ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା । ବହୁମୂଲ୍ୟ ମୁକ୍ତାର ଦୃଷ୍ଟାନ୍ତ 45 ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । 46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା । ମାଛଧରା ଜାଲର ଦୃଷ୍ଟାନ୍ତ 47 ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ । 48 ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ । 49 ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, 50 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । ପୁରାତନ ଓ ନୂତନ ଶିକ୍ଷା 51 ତୁମ୍ଭେମାନେ କ'ଣ ଏହି ସବୁ କଥା ବୁଝିଲ ସେମାନେ ତାହାଙ୍କୁ କହିଲେ ହଁ । 52 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ । ନାଜରିତରେ ଯୀଶୁ ଉପେକ୍ଷିତ ( ମାର୍କ 6:1-6 ; ଲୂକ 4:16-30 ) 53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ । 54 ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା ? 55 ଏ କି ସେହି ବଢ଼େଇର ପୁଅ ନୁହେଁ ? ଏହାର ମାଁ ନାମ କ'ଣ ମରିୟମ ନୁହେଁ ? ପୁଣି, ଏହାର ଭାଇମାନଙ୍କ ନାଁ କ'ଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ ? 56 ଆଉ, ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ତେବେ ସେ ଏହି ସବୁ କେଉଁଠୁ ପାଇଲା ? 57 ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ । 58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.