Biblia Todo Logo
Bìoball air-loidhne

- Sanasan -

ମାଥିଉ 10 - ଓଡିଆ ବାଇବେଲ


ଯୀଶୁଙ୍କ ବାର ଶିଷ୍ୟ
( ମାର୍କ 3:13-19 ; ଲୂକ 6:12-16 )

1 ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ ।

2 ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ,

3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,

4 କିଣାନୀୟ ଶିମୋନ ଓ ଈଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।


ବାର ଶିଷ୍ୟଙ୍କୁ ପ୍ରେରଣ
( ମାର୍କ 6:7-13 ; ଲୂକ 9:1-6 ; 10:4-12 )

5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଅଣଯିହୂଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,

6 ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ ।

7 ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର ।

8 ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।

9 ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି

10 କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ ।

11 ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ ।

12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;

13 ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ ।

14 ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ ।

15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ ।


ଆଗାମୀ ତାଡ଼ନା
( ମାର୍କ 13:9-13 ; ଲୂକ 21:12-17 )

16 ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ ।

17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ,

18 ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୂଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ ।

19 କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବାକି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ ।

20 ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି ।

21 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ ।

22 ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

23 କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ ।

24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ ।

25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ ।


ଭୟ କର ନାହିଁ
( ଲୂକ 12:2-7 )

26 ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ ।

27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର ।

28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର ।

29 ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;

30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି ।

31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।


ଯୀଶୁଙ୍କୁ ସ୍ୱୀକାର ନା ଅସ୍ୱୀକାର କରିବ
( ଲୂକ 12:8 , 9 )

32 ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି ।

33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି ।


ଶାନ୍ତି ପରିବର୍ତ୍ତେ ଖଡ଼୍‌ଗ
( ଲୂକ 12:51-53 ; 14:26 , 27 )

34 ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି ।

35 କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢାଇବାକୁ ଆସିଅଛି,

36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ ।

37 ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ ।

38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ ।

39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।


ପୁରସ୍କାରର ଅଧିକାରୀ
( ମାର୍କ 9:41 )

40 ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।

41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ । ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ ।

42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan