Biblia Todo Logo
Bìoball air-loidhne

- Sanasan -

ଯାତ୍ରା ପୁସ୍ତକ 40 - ଓଡିଆ ବାଇବେଲ


ଆବାସର ସ୍ଥାପନା ଏବଂ ଅଭିଷେକ

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,

2 “ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।”

3 ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।

4 ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପ ସକଳ ଜାଳିବ।

5 ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।

6 ଆଉ ସମାଗମ-ତମ୍ବୁର ଆବାସ ଦ୍ୱାର ସମ୍ମୁଖରେ ହୋମବେଦି ରଖିବ।

7 ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ।

8 ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।

9 ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ।

10 ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ।

11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।

12 ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ଜଳରେ ସ୍ନାନ କରାଇବ।

13 ପୁଣି, ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ।

14 ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ।

15 ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।

16 ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ।

17 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା।

18 ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ।

19 ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ;

20 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;

21 ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ ସିନ୍ଦୁକ ଆଚ୍ଛାଦନ କଲେ।

22 ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସର ଉତ୍ତର ପାର୍ଶ୍ୱରେ ବିଚ୍ଛେଦ ବସ୍ତ୍ରର ବାହାରେ ସମାଗମ-ତମ୍ବୁରେ ମେଜ ରଖିଲେ;

23 ପୁଣି, ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୁଟି ରଖିଲେ।

24 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ୱରେ ସମାଗମ-ତମ୍ବୁରେ ଦୀପବୃକ୍ଷ ରଖିଲେ

25 ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ।

26 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ

27 ଓ ତହିଁ ଉପରେ ସୁଗନ୍ଧି ଧୂପ ଜାଳିଲେ।

28 ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ

29 ଓ ସମାଗମ-ତମ୍ବୁର ଆବାସ-ଦ୍ୱାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ।

30 ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।

31 ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ।

32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।

33 ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ।


ସଦାପ୍ରଭୁଙ୍କର ପ୍ରତାପ

34 ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା।

35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।

36 ପୁଣି, ଆବାସ-ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ।

37 ମାତ୍ର ମେଘ ଯେତେବେଳେ ଉର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଉର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ।

38 କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan