Biblia Todo Logo
Bìoball air-loidhne

- Sanasan -

ଆମୋଷ 1 - ଓଡିଆ ବାଇବେଲ

1 ଯିହୁଦାର ରାଜା ଉଷୀୟର ଅଧିକାର ସମୟରେ ଓ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ଅଧିକାର ସମୟରେ, ଭୂମିକମ୍ପର ଦୁଇ ବର୍ଷର ପୂର୍ବରେ ତକୋୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋଷ ଇସ୍ରାଏଲ ବିଷୟରେ ଯେଉଁ ଯେଉଁ ଦର୍ଶନ ପାଇଲେ, ତଦ୍‍ବିଷୟକ ତାଙ୍କର ବାକ୍ୟ।

2 ପୁଣି ସେ କହିଲେ, “ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ।”


ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ଈଶ୍ୱରଙ୍କ ବିଚାର

3 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଦମ୍ମେଶକର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ ଯନ୍ତ୍ରରେ ଗିଲୀୟଦକୁ ମର୍ଦ୍ଦନ କରିଅଛନ୍ତି;

4 ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।

5 ପୁଣି, ଆମ୍ଭେ ଦମ୍ମେଶକର ଅର୍ଗଳ ଭାଙ୍ଗି ପକାଇବା ଓ ଆବନ ଉପତ୍ୟକାରୁ ନିବାସକାରୀକୁ ଓ ବେଥ୍-ଏଦନ ବଂଶରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା।” ପୁଣି, ସଦାପ୍ରଭୁ କହନ୍ତି, “ଅରାମର ଲୋକମାନେ ନିର୍ବାସିତ ହୋଇ କୀର୍‍କୁ ଯିବେ।”

6 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଘସାର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇ ଗଲେ।

7 ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।

8 ଆଉ, ଆମ୍ଭେ ଅସ୍‍ଦୋଦରୁ ନିବାସକାରୀକୁ ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା; ଆମ୍ଭେ ଇକ୍ରୋଣ ସହରର ବିପକ୍ଷରେ ଆପଣା ହସ୍ତ ଫେରାଇବା ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

9 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ;

10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।”

11 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା।

12 ମାତ୍ର ଆମ୍ଭେ ତୈମନ୍‍ ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ବସ୍ରାର ଅଟ୍ଟାଳିକାସବୁ ଗ୍ରାସ କରିବ।”

13 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଅମ୍ମୋନ ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି।

14 ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।

15 ପୁଣି, ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ ଏକ ସଙ୍ଗେ ନିର୍ବାସିତ ହୋଇଯିବେ।” ଏହା ସଦାପ୍ରଭୁ କହନ୍ତି।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan