Biblia Todo Logo
Bìoball air-loidhne

- Sanasan -

ପ୍ରେରିତ 18 - ଓଡିଆ ବାଇବେଲ


କରିନ୍ଥରେ ପାଉଲଙ୍କ କାର୍ଯ୍ୟ

1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀରୁ ପ୍ରସ୍ଥାନ କରି କରିନ୍ଥକୁ ଆସିଲେ ।

2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୂଦୀଙ୍କ ଦେଖାପାଇଲେ, ପନ୍ତ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୂଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ । ସେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଗଲେ,

3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ ।

4 ପୁଣି, ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୂଦୀ ଓ ଗ୍ରୀକ୍ ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ ।

5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୂଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ ।

6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୂଦୀମାନଙ୍କ ନିକଟକୁ ଯିବି ।

7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତୀତସ୍ ଯୂସ୍ତ ନାମକ ଜଣେ ଈଶ୍ୱରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା ।

8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ ।

9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, "ଭୟ କର ନାହିଁ, ନୀରବ ନ ରହି କଥା କୁହ,

10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି ।"

11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ ।

12 କିନ୍ତୁ ଗାଲ୍ଲିୟୋନ୍ ଆଖାୟାର ଶାସନକର୍ତ୍ତା ଥିବା ସମୟରେ ଯିହୂଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,

13 ଏହି ଲୋକଟା ମୋଶାଙ୍କ ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ ।

14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲୀୟୋନ୍ ଯିହୂଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାନ୍ତା, ତେବେ, ହେ ଯିହୂଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାନ୍ତା,

15 ମାତ୍ର ଯଦି ଏହି ସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହି ସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ ।

16 ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ ।

17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥୋନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ ।


ଆନ୍ତିୟଖିଆକୁ ପାଉଲଙ୍କ ପ୍ରତ୍ୟାବର୍ତ୍ତନ

18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟାକୁ ଯାତ୍ରା କଲେ । ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟାରେ ଆପଣା ମସ୍ତକ ମୁଣ୍ଡନ କରାଇଲେ ।

19 ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୂଦୀମାନଙ୍କୁ ଉପଦେଶ ଦେଲେ ।

20 ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ,

21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ୱରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ ।

22 କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ ।

23 ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଅଞ୍ଚଳ ଓ ଫ୍ରୁଗିଆ ଦେଇ ଯାତ୍ରା କରୁ କରୁ ଶିଷ୍ୟସମସ୍ତଙ୍କୁ ସୁସ୍ଥିର କରୁଥିଲେ ।


ଏଫିସ ଓ କରିନ୍ଥରେ ଆପଲ୍ଲ

24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୂଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକ୍‌ଜାଣ୍ଡ୍ରିଆ; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ ।

25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବେଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ;

26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ । କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ୱରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ ।

27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ । ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ,

28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୂଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan