Biblia Todo Logo
Bìoball air-loidhne

- Sanasan -

ପ୍ରେରିତ 1 - ଓଡିଆ ବାଇବେଲ


ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା

1 ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ,

2 ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି ।

3 ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ ।

4 ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ'ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;

5 କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।


ଯୀଶୁଙ୍କ ସ୍ୱର୍ଗାରୋହଣ

6 ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; "ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି ?"

7 ସେ ସେମାନଙ୍କୁ କହିଲେ, ''ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତାର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ ।

8 କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।"

9 ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା ।

10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,

11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ ।


ଯିହୂୂଦାରସ୍ଥାନ ପୂରଣ

12 ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମକୁ ବାହୁଡ଼ି ଆସିଲେ । ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ ଥିଲା ।

13 ସେମାନେ, ଅର୍ଥାତ୍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, 'ଉଦ୍‌ଯୋଗୀ' ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ ।

14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ ।

15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ),

16 ମୋର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;

17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା ।

18 ଏହି ଲୋକ (ଯିହୂଦା) ଅଧର୍ମର ମୁଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରିପଡ଼ିଲା;

19 ଆଉ, ଏହା ଯିରୂୂଶାଲମରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ 'ହକଲ୍‌ଦମା', ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା ।

20 ଆଉ, ଗୀତସଂହିତାରେ ଲେଖା ଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ । ଏବଂ ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ ।

21 ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ,

22 ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ ।

23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ,

24 "ହେ ପ୍ରତ୍ୟେକ ହୃଦୟକୁ ଜାଣିବାର ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,

25 ସେହି ପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ ।"

26 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan