୨ କରିନ୍ଥୀୟ 6 - ଓଡିଆ ବାଇବେଲ1 ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ । 2 କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।'' ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ । 3 ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ,ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ, 4 ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, 5 ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, 6 ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, 7 ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ରଦ୍ୱାରା, 8 ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତିଦ୍ୱାରା, ପ୍ରତାରକ ତୁଲ୍ୟ, ଅଥଚ ସତ୍ୟବାଦୀ, 9 ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, 10 ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ । 11 ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି । 12 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ । 13 ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ । ଜୀବିତ ଈଶ୍ୱରଙ୍କ ମନ୍ଦିର 14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ? 15 ବିଲିୟାର୍ ସହିତ ଖ୍ରୀଷ୍ଟଙ୍କର କି ମିଳନ ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ ? 16 ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ । 17 ଏଣୁ ପ୍ରଭୁ ଏହା କହନ୍ତି, "ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,'' 18 ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି,ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି । |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.