Biblia Todo Logo
Bìoball air-loidhne

- Sanasan -

୧ ତୀମଥି 5 - ଓଡିଆ ବାଇବେଲ


ମଣ୍ଡଳୀ ପ୍ରତି ଆଦେଶ

1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି,

2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଁ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର ।

3 ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର ।

4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ ।

5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି ଦିନରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ;

6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ ।

7 ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ ।

8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।

9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ,

10 ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦ ଧୋଇଥାଏ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍‍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ ।

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;

12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଘଂନ କରିବାରୁ ଦଣ୍ଡନୀୟ ହୁଅନ୍ତି ।

13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନାବଶ୍ୟକ କଥାବାର୍ତ୍ତା କରନ୍ତି ।

14 ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦେଉନ୍ତୁ;

15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କ ଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି ।

16 ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ , ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରି ପାରେ ।

17 ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ ।

18 କାରଣ ଶାସ୍ତ୍ର କହେ, "ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ" । ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ ।

19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ ।

20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି ।

21 ଈଶ୍ୱରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ ।

22 ହଠାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ ।

23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।

24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ ।

25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan