Biblia Todo Logo
Bìoball air-loidhne

- Sanasan -

୧ କରିନ୍ଥୀୟ 10 - ଓଡିଆ ବାଇବେଲ


ଇସ୍ରାଏଲର ଇତିହାସରୁ ଚେତାବନୀ

1 କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ,

2 ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ,

3 ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ

4 ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ),

5 ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ ।

6 ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥି ନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି ।

7 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖା ଅଛି, "ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ" ।

8 ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ ।

9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ।

10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ ।

11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି ।

12 ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସେ ସାବଧାନ ହେଉ ।

13 ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।


ପ୍ରତିମାପୂଜା ବିରୁଦ୍ଧରେ ଚେତାବନୀ

14 ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର ।

15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର ।

16 ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ ?

17 କାରଣ ରୁଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ ।

18 ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହଁନ୍ତି ?

19 ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି ?

20 ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୂଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହି ସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି । ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ ।

21 ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରି ପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ ।

22 ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା ? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ ?


ସମସ୍ତ ବିଷୟ କାରଣ - ଈଶ୍ୱରଙ୍କ ଗୌରବ

23 ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ ।

24 କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।

25 ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର,

26 କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର ।

27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର ।

28 କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;

29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତା'ର ବିବେକ ସକାଶେ । ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ ?

30 ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି ?

31 ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।

32 ଯିହୂଦୀ ବା ଗ୍ରୀକ୍‍ ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,

33 ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan