Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 15 - ପବିତ୍ର ବାଇବଲ


ଦୂତଙ୍କର ଶେଷ ମହାମାରୀ

1 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

2 ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା।

3 ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ: “ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର! ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ ହେ ଜାତି ସମୂହର ରାଜା, ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।

4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କେବଳ ତୁମ୍ଭେ ହିଁ ପବିତ୍ର; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

5 ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି।

6 ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା।

7 ତା'ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା।

8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan