Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 89 - ପବିତ୍ର ବାଇବଲ


ଇଷ୍ରାହୀୟ ଏଥନର ମସ୍କୀଲ୍।

1 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି। ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।

2 ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି। ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

3 ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

4 ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ସେଲା

5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।

6 ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ। “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।

7 ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।

8 ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ। ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।

9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ। ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।

10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ। ସେ ଏକ ଶବପରି ଥିଲା। ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।

12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।

13 ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।

14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ। ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।

15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।

16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ। ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।

17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି। ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।

18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।

19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ, “ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ। ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।

20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।

21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।

22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।

23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।

24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା ଏବଂ ତାଙ୍କୁ ବିଜୟୀ କରିବା।

25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।

26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା, ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’

27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା। ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।

28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।

29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା ଓ ତା'ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।

30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।

31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି ଏବଂ ମୋ’ ଆଜ୍ଞା ନ ପାଳନ୍ତି,

32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।

33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।

34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।

35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ। ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।

36 ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।

37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ। ଏହା ଆକାଶପରି ଚିରଦିନ ପାଇଁ ରହିବ।” ସେଲା

38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।

39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ। ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।

40 ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।

41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି। ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।

42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ। ତୁମ୍ଭେ ତା'ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।

43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ। ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।

44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ। ତୁମ୍ଭେ ତା'ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।

45 ତୁମ୍ଭେ ତା'ର ଜୀବନକୁ କ୍ଷୀଣ କଲ। ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ। ସେଲା

46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ? ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ? ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?

47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।

48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ। ସେଲା

49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା? ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।

50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।

51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି, ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍! ଆମେନ୍!

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan