Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 83 - ପବିତ୍ର ବାଇବଲ


ଆସଫର ଏକ ପ୍ରଶଂସା ଗୀତ।

1 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ! ହେ ପରମେଶ୍ୱର, ଦୟାକରି କିଛି କୁହ!

2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।

3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।

4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ। ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”

5 ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।

6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।

8 ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି। ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି। ସେଲା

9 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ, ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।

10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।

11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର, ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର।

12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ୟ କରିବେ।”

13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।

14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି ଶତ୍ରୁମାନଙ୍କୁ ଧ୍ୱଂସ କର।

15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।

16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।

17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସେମାନଙ୍କୁ ଅପମାନିତ କର ଓ ବିନାଶ କର।

18 ଏହା ପରେ ସେମାନେ ଜାଣିବେ ଯେ, ଯାହାର ନାମ ଯିହୋବାଃ, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan