Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 62 - ପବିତ୍ର ବାଇବଲ


ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।

1 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ। ମୋର ପରିତ୍ରାଣ ତାଙ୍କଠାରୁ ଆସେ।

2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି। ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ। ମୁଁ ଧ୍ୱଂସରୁ ନିରାପଦ ରହିବି।

3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ ଓ ହତ୍ୟା କରିବାକୁ ଚେଷ୍ଟା କରିବ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।

4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି। ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି। ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି, କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି। ସେଲା

5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମୋର ଆଶା ଆସେ।

6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି। ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ। ମୁଁ ଧ୍ୱଂସରୁ ନିରାପଦ ରହିବି।

7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।

8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର। ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ସେଲା

9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

10 ଦୌରାତ୍ମ୍ୟରେ ଭରସା କର ନାହିଁ। ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ଯଦି ତୁମ୍ଭେ ଧନୀ ହେଲେ ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।

11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି: “ପରମେଶ୍ୱର ବଳବାନ୍ ଅଟନ୍ତି।”

12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ। ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan