ଗୀତସଂହିତା 60 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ। 1 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର। 2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ। ଏହାର ଫାଟକକୁ ମରାମତି କର, କାରଣ ଏହାର ପତନ ହେଉଅଛି। 3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ। ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ। 4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ। ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ। ସେଲା 5 ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ। ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର। 6 ପରମେଶ୍ୱର ତାଙ୍କ ମନ୍ଦିରରେ କହିଲେ, “ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି। ତା'ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି। ମୁଁ ଶିଖିମ ଓ ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି। 7 ଗିଲିୟଦ ଓ ମନଃଶି ମୋର ହେବେ। ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ। ଯିହୁଦା ମୋର ରାଜଦଣ୍ଡ ହେବ। 8 ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମୋର ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।” 9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ? କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ? ପରମେଶ୍ୱର, ତୁମ୍ଭେ ନୁହଁ କି? କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ। ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ। 11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ। ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ। 12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ। କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International