ଗୀତସଂହିତା 55 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। 1 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର। ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ। 2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ। ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ। 3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ। ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ। ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ। ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ। 4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି। 5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି। 6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି। 7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି। ସେଲା 8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ ଏକ ନିରାପଦ ସ୍ଥାନକୁ ପଳାୟନ କରନ୍ତି। 9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର। ସେମାନଙ୍କର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି। 10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ୟତା ପୁରି ରହିଛି। 11 ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ। 12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା, ମୁଁ ସହନ୍ତି। ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି, ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି। 13 କିନ୍ତୁ ତୁମ୍ଭେ ମୋର ସହଯୋଗୀ, ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି। 14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ। ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ। 15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି। 16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ। 17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ। ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି! 18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି, ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ। 19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି, ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ। ସେଲା 20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ। 21 ମୋର ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଙ୍ଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ। କିନ୍ତୁ ତା ହୃଦୟରେ ଘୃଣା ଅଛି। ତା'ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି। 22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ, ତହିଁରେ ସେ ତୁମ୍ଭର ଯତ୍ନ ନେବେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ। 23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International