ଗୀତସଂହିତା 47 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ। 1 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି। 3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି। ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି। 4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି। ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ। ସେଲା 5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି, ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ। 6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର। 7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତେଣୁ ତାଙ୍କର ମହିମା ଗାନ କର। 8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି। 9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି। ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ। ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International