ଗୀତସଂହିତା 39 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ। 1 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି। ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ। ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମୋର ମୁଖକୁ ବନ୍ଦ ରଖିବି।” 2 ତେଣୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ। କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି। 3 ମୁଁ ଅତି କ୍ରୋଧିତ ଥିଲି। ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି। ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି। 4 ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ? ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି? ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି। 5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ। ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ସେଲା 6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ। 7 ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି? ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା। 8 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର। ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ। 9 ମୁଁ ମୋର ପାଟି ଖୋଲି ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଯାହା କରିବା କଥା ତାହା କରିଛ। 10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ। ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ। 11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର। ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ। ସେଲା 12 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି। 13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International