ଗୀତସଂହିତା 36 - ପବିତ୍ର ବାଇବଲସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ 1 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ। ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।” 2 ସେହି ଲୋକ ଆପଣାକୁ ମିଥ୍ୟା କହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ। 3 ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ। ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ। 4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ। 5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ। ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ। 6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର। 7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି। 8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ। 9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ। 10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ। 11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି। ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ। 12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି। ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି। ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International