ଗୀତସଂହିତା 29 - ପବିତ୍ର ବାଇବଲଦାଉଦଙ୍କର ଗୀତ। 1 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର। 2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର। 3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି। ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି। 4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ। ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ। 5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି। 6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି। ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ। 7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ। 8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ। ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ। 9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି। 10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ। 11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International