ଗୀତସଂହିତା 18 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ। 1 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ, ମୁଁ ତୁମ୍ଭକୁ ଭଲ ପାଏ।” 2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ। ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ। ପରମେଶ୍ୱର ମୋର ଢାଲ ସଦୃଶ। ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ। 3 ସେମାନେ ମୋତେ ପରିହାସ କଲେ, କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। 4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ। ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି, 5 କବରର ରଶି ମୋର ଗ୍ଭରିଆଡ଼େ ଥିଲା, ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା। 6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି। ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି, ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ। ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ। 7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ। 8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା। 9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ। 10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ। 11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ। 12 ତା'ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା। 13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ। 14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି। 15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା। ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା। ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ। 16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ। ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ। 17 ମୋର ଶତ୍ରୁମାନେ ମୋ'ଠାରୁ ଶକ୍ତିଶାଳୀ ଥିଲେ। ସେମାନେ ମୋତେ ଘୃଣା କରୁଥିଲେ। ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ। 18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ। 19 ସଦାପ୍ରଭୁ ମୋତେ ଭଲ ପାଆନ୍ତି। ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ। 20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ। ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। 21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ। 22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ। 23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି। ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି। 24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। 25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ। ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ। 26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ। 27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର। କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର। 28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର। ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର। 29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ। ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ। 30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। 31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ। 32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି। 33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି। 34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ। 35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ। ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ। ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ। 36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର, ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ। 37 ତା'ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି। ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ। 38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି। ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ। ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ। 39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ। 40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି। 41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ, କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ। ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ। 42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି। ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି। ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି। 43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ସେହିସବୁ ରାଜ୍ୟର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ। 44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ। ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ। 45 ସେମାନେ ଭୟରେ ଦୁର୍ବଳ ହୋଇଯିବେ। ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ। 46 ସଦାପ୍ରଭୁ ଜୀବନ୍ତ ଅଟନ୍ତି। ମୁଁ ସେହି ଶୈଳକୁ ପ୍ରଶଂସା କରେ। ପରମେଶ୍ୱର ମୋତେ ରକ୍ଷା କରନ୍ତି। ସେ ମହାନ ଅଟନ୍ତି। 47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି। 48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ। ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ। ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ। 49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ। ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ। 50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International