ଗୀତସଂହିତା 118 - ପବିତ୍ର ବାଇବଲ1 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। 2 ଇସ୍ରାଏଲ ଏବେ କହନ୍ତୁ, “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” 3 ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ, “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” 4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, “ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” 5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ। 6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମୋତେ କ’ଣ କରି ପାରିବେ। 7 ସଦାପ୍ରଭୁ ମୋର ସାହାଯ୍ୟକାରୀ। ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି। 8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ। 9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ। 10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି। 11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି। ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି। 12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ। କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି। 13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। 14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମୋତେ ରକ୍ଷା କଲେ। 15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ। 16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ। 17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। 18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି। ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ। 19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି। 20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ। କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ। 21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି। ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ। 22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ। ତାହା କୋଣର ପ୍ରଧାନ ପଥର ହୋଇଅଛି। 23 ଏହାସବୁ ସଦାପ୍ରଭୁଙ୍କ କର୍ମ, କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ। 24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା। 25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।” 26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ। 27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।” 28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି। 29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ। ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International