ଗୀତସଂହିତା 115 - ପବିତ୍ର ବାଇବଲ1 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ। 2 କାହିଁକି ଅନ୍ୟ ଦେଶୀୟମାନେ କହିବେ ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ? 3 ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି। ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି। 4 ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ। 5 ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ। 6 ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ। ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ। 7 ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ। ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ। ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ। 8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ ସେହିପରି ହେବେ! 9 ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ। 10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ। 11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ। 12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି। ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ। 13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ। 14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ। 15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। 16 ସ୍ୱର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି। 17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି। 18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଧନ୍ୟବାଦ କରିବା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International