Biblia Todo Logo
Bìoball air-loidhne

- Sanasan -

ହିତୋପଦେଶ 20 - ପବିତ୍ର ବାଇବଲ

1 ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।

2 ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।

3 ଯେକୌଣସି ନିର୍ବୋଧ ସର୍ବଦା ଯୁକ୍ତି କରେ। ତେଣୁ ତୁମ୍ଭେ ସର୍ବଦା ସେହି ଲୋକକୁ ସମ୍ମାନ କର ଯେ ଯୁକ୍ତି କରିବାକୁ ବାରଣ କରେ।

4 ଜଣେ ଅଳସୁଆ ତା'ର ଅଳସୁଆପଣ ଯୋଗୁଁ ଶସ୍ୟ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖୋଜିଲେ ପାଏ ନାହିଁ।

5 ମନୁଷ୍ୟ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସେହି ଗଭୀର ଜଳକୁ କାଢ଼ି ପାରିବ।

6 ବହୁତ ଲୋକମାନଙ୍କ ମଧ୍ୟରେ ଜଣେ ପ୍ରଭୁଭକ୍ତ ଖୋଜ, କିନ୍ତୁ କିଏ ଖୋଜି ପାରିବ ଜଣେ ଲୋକ ଯିଏ କି ପ୍ରକୃତରେ ବିଶ୍ୱାସନୀୟ।

7 ଯେଉଁ ଧାର୍ମିକ ଲୋକ ସରଳତାରେ ବାସ କରେ, ତା’ ଉତ୍ତାରେ ତା'ର ପୁତ୍ରଗଣ, ସନ୍ତାନଗଣ ଧନ୍ୟ ହୁଅନ୍ତି।

8 ଯେଉଁ ରାଜା ବିଗ୍ଭର ସ୍ଥାନରେ ବସେ, ସେ ନିଜର ସ୍ୱଚକ୍ଷୁରେ ଅସତ୍ୟ ବିଷୟସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।

9 “ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ।

10 ନାନା ପ୍ରକାର ମାପ ଓଜନରେ ଯେଉଁମାନେ ଠକନ୍ତି, ସେମାନେ ସଦାପ୍ରଭୁଙ୍କଠାରେ ଘୃଣିତ।

11 ଏପରିକି ଜଣେ ଛୋଟ ପିଲା କରୁଥିବା କର୍ମରୁ ଜଣାଯାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ।

12 କାନରେ ଶୁଣିବା ଆଖିରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି।

13 ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହେବ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।

14 କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ୟ ବହୁତ ଅଧିକ।” ମାତ୍ର ଆପଣା ବାଟରେ ଗଲାବେଳେ ଦର୍ପ କରେ।

15 ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁ ଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ୟବାନ୍ ଅଟେ।

16 ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।

17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଠା ଲାଗେ। ମାତ୍ର ପଛରେ ତା'ର ପାଟି ଗୋଡ଼ିରେ ପୂର୍ଣ୍ଣ ହେବ।

18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହେବ। ମାତ୍ର ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଯାଅ ଭଲ ପରାମର୍ଶ ଗ୍ରହଣ କର।

19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା’ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ, ଯେ ଗପିବାକୁ ଭଲ ପାଏ।

20 ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା'ର ପ୍ରଦୀପ ଲିଭିଯିବ।

21 ଧନ ସମ୍ପତ୍ତି ହଠାତ୍ ମିଳିପାରେ ଓ ସହଜରେ ଲାଭ ହୁଏ, ପୁଣି ଶେଷରେ ଆଶୀର୍ବାଦଯୁକ୍ତ ହେବ ନାହିଁ।

22 “ମୁଁ ତାଙ୍କୁ ଫେରାଇ ଦେବି ଏହିପରି ଚିନ୍ତା କର ନାହିଁ,” ଯଦି କେହି କିଛି ତୁମ୍ଭ ବିରୁଦ୍ଧରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ।

23 ଲୋକମାନଙ୍କୁ ଓଜନ ଓ ମାପରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷୟ, ଅର୍ଥାତ ଦଣ୍ଡିରେ ଠକିବା ନିତାନ୍ତ ଖରାପ।

24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ, ତେଣୁ ମନୁଷ୍ୟ ଆପଣା ବାଟ ଠିକ୍ ରୂପେ ବୁଝିପାରେ ନାହିଁ।

25 ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି। ଏବଂ ତା'ପରେ ସେହି ପ୍ରତିଜ୍ଞା ପୁନଃବିଗ୍ଭର କରାଯାଏ।

26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ୟରୁ ଅଗାଡ଼ି ଅଲଗା କଲାପରି ତା’ ଉପରେ ସେ ଚକ୍ର ବୁଲାଏ।

27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷୟ ପରିପ୍ରକାଶ କରେ।

28 ଦୟା ଓ ସତ୍ୟତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।

29 ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା।

30 ଅସତ ମାର୍ଗ କ୍ଷତିଜନକ ପ୍ରହାରରେ ପରିଷ୍କାର କରେ, ଆଘାତ ନିଜ ଅନ୍ତରାଳୟକୁ ପ୍ରଭାବିତ କରେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan